Car

ବରଗଡ଼:ଡାକ୍ତରଖାନା ନୁହେଁ, କାର ହେଲା କ୍ଲିନିକ୍ । ଦୁର୍ଗମ ଆଦିବାସୀ ଗାଁରେ ମାନବିକତାର ପରିଚୟ ଦେଖାଇଲେ ଡାକ୍ତର ଶଙ୍କର ରାମଚନ୍ଦାନି । ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’ ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନି ପୁଣିଥରେ ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି । ରବିବାର ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଜୁବାଖୋଲ ଗ୍ରାମରେ ହଠାତ୍ ପହଞ୍ଚିଥିଲେ ଡାକ୍ତର ରାମଚନ୍ଦାନି । ବଣପାହାଡ଼ ଘେରା ଏହି ଅଞ୍ଚଳରେ ତାଙ୍କୁ ଦେଖି ଗ୍ରାମବାସୀଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଥିଲା ।

ସେ କେବଳ ଗାଁକୁ ଯାଇନଥିଲେ, ବରଂ ବିଲରେ କାମ କରୁଥିବା ଶ୍ରମିକମାନଙ୍କୁ ଡାକି ନିଜ କାରକୁ ଏକ ଅସ୍ଥାୟୀ କ୍ଲିନିକ୍ ରେ ପରିଣତ କରି ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିଥିଲେ । ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ରୋଗୀମାନଙ୍କର ମାଗଣାରେ ସ୍ପାଇରୋମେଟ୍ରି ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ଓ ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ । ଖଟିଆରେ ବସି ପ୍ରାୟ ୨୫ରୁ ୩୦ ଜଣ ରୋଗୀଙ୍କୁ ଚିକିତ୍ସା କରି ମାଗଣା ଔଷଧ ବଣ୍ଟନ କରିଥିଲେ। ମାତ୍ର ଏକ ଟଙ୍କାରେ ଚିକିତ୍ସା ସେବା ଯୋଗାଇ ଲକ୍ଷ ଲକ୍ଷ ରୋଗୀଙ୍କ ଆଶୀର୍ବାଦ ଲାଭ କରିଥିବା ଡାକ୍ତର ରାମଚନ୍ଦାନିଙ୍କ ଏହି ନିରବ ସେବା ତାଙ୍କୁ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ।

Share