ଲକ୍ଷ୍ନୋ: କ୍ଷୀରରେ ମିଶାଇଲା ନିଦ ବଟିକା, ଶୋଇଥିବା ସ୍ୱାମୀ ଉପରକୁ ଛାଡ଼ିଦେଲା ବିଷାକ୍ତ ସାପ । ଇନ୍ସୁରାନ୍ସ ଟଙ୍କା ପାଇଁ ସ୍ବାମୀକୁ ହତ୍ୟା । ଉତ୍ତରପ୍ରଦେଶର ମେରଠ ଅଞ୍ଚଳରୁ ଏଭଳି ସାଙ୍ଘାତିକ ତଥା ଯୋଜନାବଦ୍ଧ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଉଭୟଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡକୁ ଏକ ସାଧାରଣ ଦୁର୍ଘଟଣାର ରୂପ ଦେବା ପାଇଁ ସେମାନେ ଏକ ବିଷାକ୍ତ ସାପର ସାହାଯ୍ୟ ନେଇଥିଲେ । ୨୦ ଲକ୍ଷ ଟଙ୍କାର ବୀମା ରାଶି ହଡ଼ପ କରିବା ଏବଂ ନିଜର ପ୍ରେମ ସମ୍ପର୍କ ଜାରି ରଖିବା ପାଇଁ ଏହି ଦୁଇଜଣ ଏଭଳି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ । ମୃତ ବ୍ୟକ୍ତିଜଣକ ହେଉଛନ୍ତି ଅତୁଲ ପାନୱାର । ସେ ହସ୍ତିନାପୁରଠାରେ ନିଜ ପତ୍ନୀ ଦାମିନୀଙ୍କ ସହ ମିଶି ପ୍ଲେ ସ୍କୁଲ୍’ ଚଲାଉଥିଲେ ।
୨୦୧୯ରେ ସେମାନଙ୍କର ବିବାହ ହୋଇଥିଲା । ଗତ ଶୁକ୍ରବାର ସକାଳେ ବିଛଣାରୁ ଅତୁଲଙ୍କ ମୃତଦେହ ମିଳିଥିଲା । ସୂଚନା ଅନୁଯାୟୀ, ଦାମିନୀଙ୍କର ତାଙ୍କ ସ୍କୁଲର ଡ୍ରାଇଭର ତୁଷାର ଓରଫ୍ ନିକ୍କି ସହ ପ୍ରେମ ସମ୍ପର୍କ ଥିଲା । ଏହି ଦୁଇଜଣ ପ୍ରଥମେ ଅତୁଲଙ୍କୁ ସଡ଼କ ଦୁର୍ଘଟଣା ଘଟାଇ ମାରିଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେହି ଯୋଜନା ଫେଲ୍ ହେବା ପରେ ଦାମିନୀ ନିଜ ପ୍ରେମିକ ଏବଂ ଅନ୍ୟ ଦୁଇଜଣ ସହଯୋଗୀଙ୍କ ସହ ମିଶି ନୂଆ ହତ୍ୟାକାଣ୍ଡର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଘଟଣା ଦିନ ରାତିରେ ଦାମିନୀ ପ୍ରଥମେ ତାଙ୍କ ସ୍ୱାମୀ ଅତୁଲଙ୍କୁ ପିଇବାକୁ ଦେଇଥିବା କ୍ଷୀରରେ ନିଦ ବଟିକା ମିଶାଇ ଦେଇଥିଲେ । ଅତୁଲ ଅଚେତ ହୋଇ ଶୋଇପଡ଼ିବା ପରେ ତାଙ୍କ ବିଛଣା ଉପରକୁ ଏକ ବିଷାକ୍ତ ସାପ ଛାଡ଼ି ଦିଆଯାଇଥିଲା । ଅତୁଲଙ୍କୁ ସାପ କାମୁଡ଼ିବାରୁ ମୃତ୍ୟୁ ହୋଇଥିଲା । ଅତୁଲଙ୍କ ନାମରେ ଥିବା ୨୦ ଲକ୍ଷ ଟଙ୍କାର ବୀମା ରାଶି ପାଇବା ଏବଂ ଅତୁଲଙ୍କୁ ରାସ୍ତାରୁ ହଟାଇ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ଆଗକୁ ବଢ଼ାଇବା ହତ୍ୟା ପଛର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପୋଲିସ ଦାମିନୀ ଓ ତୁଷାରଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

