କଟକ : ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅଧୀନ କଚରାସାହି ଗ୍ରାମପଞ୍ଚାୟତର ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର (ପିଇଓ) ପ୍ରଫୁଲ୍ଲ କୁମାର ନାଥଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶେଷ କିସ୍ତି ଓ ବୋନସ୍ ଟଙ୍କା କ୍ରାଇ ଦେବାପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଧରିଛି । ଜଣେ ଗରିବ ବିଧବା ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ନିର୍ମାଣ କାମ ଶେଷ କରିଥିଲେ ।
ଯୋଜନାର ନିୟମ ଅନୁଯାୟୀ ସେ ଶେଷ କିସ୍ତି ସହ ବୋନସ୍ ପାଇବାକୁ ହକ୍ଦାର ଥିଲେ। କିନ୍ତୁ ପିଇଓ ପ୍ରଫୁଲ୍ଲ କୁମାର ନାଥ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ହିତାଧିକାରୀ ଏତେ ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରିବା ପରେ ସେ ଲାଞ୍ଚ ପରିମାଣକୁ ୫ ହଜାର ଟଙ୍କାକୁ କମାଇ ଦେଇଥିଲେ । ଲାଞ୍ଚ ନ ଦେଲେ ଶେଷ କିସ୍ତି ଓ ବୋନସ୍ ଟଙ୍କା ମିଳିବ ନାହିଁ ବୋଲି ଧମକ ମଧ୍ୟ ଦେଇଥିଲେ ।
ଏହାପରେ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନାବଦ୍ଧ ଚଢ଼ାଉରେ ଭିଜିଲାନ୍ସ ଟିମ୍ ପ୍ରଫୁଲ୍ଲ କୁମାର ନାଥଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିବାରେ ସକ୍ଷମ ହୋଇଛି । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ପ୍ରଫୁଲ୍ଲ କୁମାର ନାଥଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା-୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

