‘କ୍ୟାଚ୍ ଦି ରେନ୍’ ଅଭିଯାନରେ ଚମକିଲା ଭୁବନେଶ୍ୱର: ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

IMG 20260726 WA0032 750x430

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଆସିଛି ଏକ ଗର୍ବର ବିଷୟ। ଜଳ ସଂରକ୍ଷଣ ଦିଗରେ ସହରର ନିରନ୍ତର ପ୍ରୟାସ ଏବଂ ସଫଳତାକୁ ଏବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ରବିବାର ପ୍ରସାରିତ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୩୬ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ‘କ୍ୟାଚ୍ ଦି ରେନ୍’ ଅଭିଯାନରେ ଭୁବନେଶ୍ୱରର ଉଲ୍ଲେଖନୀୟ ଯୋଗଦାନ ସମ୍ପର୍କରେ ଆଲୋଚନା କରିଛନ୍ତି।

ଗତ ଜୁଲାଇ ୪ ତାରିଖରୁ ସାରା ଦେଶରେ ‘କ୍ୟାଚ୍ ଦି ରେନ୍’ ଅଭିଯାନ ଆରମ୍ଭ ହୋଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳ ଅମଳ, ଭୂତଳ ଜଳସ୍ତର ବୃଦ୍ଧି ଏବଂ ପୁରୁଣା କୂଅ ଓ ପୋଖରୀଗୁଡ଼ିକର ପୁନରୁଦ୍ଧାର। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଅଭିଯାନ ଏବେ ଏକ ଗଣଆନ୍ଦୋଳନର ରୂପ ନେଇଛି ଏବଂ ଦେଶର ବିଭିନ୍ନ ସହର ଏଥିରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ଛତିଶଗଡ଼ର କୋରବା ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ସହିତ ଓଡ଼ିଶାର ଭୁବନେଶ୍ୱର ମଧ୍ୟ ଏହି କ୍ଷେତ୍ରରେ ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରିଥିବା ସେ ଉଲ୍ଲେଖ କରିଛନ୍ତି।

 

ଜଳ ହିଁ ଜୀବନ ଏବଂ ଏହାର ସଂରକ୍ଷଣ ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ନିଜ ଆଖପାଖରେ ଥିବା କୂଅ, ପୋଖରୀ କିମ୍ବା ଜଳାଶୟର ଯତ୍ନ ନିଅନ୍ତୁ ଏବଂ ବର୍ଷା ଜଳର ପ୍ରତିଟି ବୁନ୍ଦାକୁ ସାଇତି ରଖିବାକୁ ଚେଷ୍ଟା କରନ୍ତୁ, ଯାହା ଆଗାମୀ ପିଢ଼ି ପାଇଁ ସବୁଠାରୁ ବଡ଼ ସମ୍ପତ୍ତି ପାଲଟିବ।

Share