ଭୁବନେଶ୍ୱର: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର୍ ଏବଂ ୨୦୨୭ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହେଉଥିବା ଯୁବକ ଯୁବତୀଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଘରକୁ ଘର ଯାଞ୍ଚ ଚାଲିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ଯାଞ୍ଚ ପ୍ରକ୍ରିୟା ଚାଲିବ। ଯାଞ୍ଚ ସରିବା ପରେ ୨୦୨୭ ଜାନୁଆରୀ ୧୦ରେ ସାନି ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
୩୧ ଜିଲା ନିର୍ବାଚନ ଅଧିକାରୀ, ୧୪୭ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇଆର୍ଓ), ୭୧୯ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଏଇଆରଓ), ୪୫୪୦ ବୁଥ୍ସ୍ତରୀୟ ସୁପରଭାଇଜର୍ ଏବଂ ୪୫,୨୫୦ ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ) ଏହି କାର୍ଯ୍ୟ କରୁଛନ୍ତି। ନିର୍ବାଚନୀ ସମ୍ବନ୍ଧୀୟ କୌଣସି ଅଭିଯୋଗ ଥିଲେ କିମ୍ବା ଫର୍ମ-୬ ପୂରଣ କରିବାରେ ସହାୟତା ଆବଶ୍ୟକ ପଡୁଥିଲେ, ବିଏଲଓଙ୍କ ସହ ଯୋଗାଯୋଗ କରିପାରିବେ।
ଫର୍ମ-୬ ନୂତନ ମତଦାତାଙ୍କ ପାଇଁ ଆବେଦନ ଫର୍ମ ରହିଛି। ମତଦାତା ପଞ୍ଜୀକରଣ ଏକ ବର୍ଷ ବ୍ୟାପୀ ନିରନ୍ତର ପ୍ରକ୍ରିୟା। ଯେକୌଣସି ନୂତନ କିମ୍ବା ତତ୍କାଳୀନ ବାଦ୍ ପଡ଼ିଥିବା ମତଦାତା ବର୍ଷର ଯେକୌଣସି ସମୟରେ ଫର୍ମ-୬ ମାଧ୍ୟମରେ ନିଜ ନାମ ଭୋଟର ତାଲିକାରେ ସାମିଲ କରାଇପାରିବେ। ସେହିପରି ଫର୍ମ-୭ ତତ୍କାଳୀନ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ପ୍ରସ୍ତାବ ବିରୋଧରେ ଆପତ୍ତି କିମ୍ବା ନାମ ବାଦ୍ ଦେବା ପାଇଁ ଆବେଦନ। ଫର୍ମ-୮ ବାସସ୍ଥାନ ସ୍ଥାନାନ୍ତର, ତତ୍କାଳୀନ ଭୋଟର ତାଲିକାରେ ଥିବା ବିବରଣୀର ସଂଶୋଧନ, ଭୋଟର୍ ପରିଚୟପତ୍ର ବଦଳାଇବା କିମ୍ବା ଦିବ୍ୟାଙ୍ଗ ଭୋଟର୍ ଭାବେ ଚିହ୍ନିତ କରିବା ପାଇଁ ମତଦାତାଙ୍କ ଆବେଦନ ରହିଛି।
