ଭୁବନେଶ୍ୱର : MP-MLAଙ୍କ ଅପରାଧିକ ମାମଲାର ହେବ ତ୍ୱରିତ ବିଚାର । ସାଂସଦ-ବିଧାୟକଙ୍କ ମାମଲା ପାଇଁ ୧୪ ସ୍ୱତନ୍ତ୍ର କୋର୍ଟ । ୧୩୬ ପଦବୀକୁ ସରକାରଙ୍କ ମଞ୍ଜୁରି । ଓଡ଼ିଶାରେ ସାଂସଦ ଓ ବିଧାୟକଙ୍କ ମାମଲାର ହେବ ତ୍ୱରିତ ବିଚାର । ଏଥିପାଇଁ ୧୪ ସ୍ୱତନ୍ତ୍ର ଅଦାଲତ ପାଇଁ ୧୩୬ ପଦବୀକୁ ମଞ୍ଜୁରି । ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୀଘ୍ର ବିଚାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଉଛନ୍ତି ।
ବର୍ତ୍ତମାନର ତଥା ପୂର୍ବତନ ସାଂସଦ ଓ ବିଧାୟକଙ୍କ ସମ୍ପୃକ୍ତି ଥିବା ଅପରାଧିକ ମାମଲାର ବିଚାର ଲାଗି ଗଠିତ ୧୪ଟି ସ୍ୱତନ୍ତ୍ର ଅଦାଲତ ପାଇଁ ୧୩୬ଟି ପଦବୀ ସୃଷ୍ଟିକୁ ମଞ୍ଜୁରି ମିଳିଛି । ଏହାସହ ୬ ଜଣ କର୍ମଚାରୀଙ୍କୁ ଆଉଟସୋର୍ସିଂ ମାଧ୍ୟମରେ ନିୟୋଜିତ କରାଯିବ । ଗତ ୧୩ ତାରିଖରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ୩ଟି ସ୍ୱତନ୍ତ୍ର ସେସନ୍ସ କୋର୍ଟ ପାଇଁ ୪୮ଟି ଏବଂ ୧୧ଟି ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ୮୮ଟି ପଦବୀକୁ ରାଜ୍ୟପାଳ ମଞ୍ଜୁରି ପ୍ରଦାନ କରିଛନ୍ତି । ଅର୍ଥ ବିଭାଗର ସହମତି କ୍ରମେ ଏହି ପଦବୀଗୁଡ଼ିକ ସୃଷ୍ଟି କରାଯାଇଛି ।
ସ୍ୱତନ୍ତ୍ର ସେସନ୍ସ କୋର୍ଟଗୁଡ଼ିକରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍, ବେଞ୍ଚ କ୍ଲର୍କ, ଷ୍ଟେନୋଗ୍ରାଫର, ବରିଷ୍ଠ ଓ କନିଷ୍ଠ କିରାଣି, ଟାଇପିଷ୍ଟ, ପ୍ରୋସେସ୍ ସର୍ଭର, ପିଅନ ଏବଂ ହାଉସ୍ ଅର୍ଡର୍ଲି ନିୟୋଜିତ ହେବେ । ହାଉସ୍ ଅର୍ଡର୍ଲିଙ୍କୁ ମାସିକ ୧୫ ହଜାର ଟଙ୍କାର ନିର୍ଦ୍ଧାରିତ ପାରିଶ୍ରମିକ ମିଳିବ । ତେବେ ଏହି ପଦବୀ ନିୟମିତ ବେତନ ହାର ଅନ୍ତର୍ଭୁକ୍ତ ହେବ ନାହିଁ । ସଫେଇ କର୍ମଚାରୀ ଓ ରାତ୍ରି ଜଗୁଆଳିଙ୍କୁ ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ ନିୟୋଜିତ କରାଯିବ । ସେହିପରି ୧୧ଟି ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍ କୋର୍ଟରେ ସିଭିଲ୍ ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍, ବେଞ୍ଚ କ୍ଲର୍କ, ଷ୍ଟେନୋଗ୍ରାଫର, କନିଷ୍ଠ କିରାଣି, ପ୍ରୋସେସ୍ ସର୍ଭର, ପିଅନ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିଯୁକ୍ତ ହେବେ ।
ନୂତନ ପଦବୀଗୁଡ଼ିକରେ ନିଯୁକ୍ତି ପ୍ରଚଳିତ ନିଯୁକ୍ତି ନିୟମ ଓ ଓଡ଼ିଶା ସଂରକ୍ଷଣ ଆଇନ ଅନୁଯାୟୀ ସ୍ୱଚ୍ଛ ପ୍ରକ୍ରିୟାରେ କରାଯିବ। ନିୟମିତ ବେତନଭୁକ୍ତ ପଦବୀରେ ନିଯୁକ୍ତ କର୍ମଚାରୀଙ୍କୁ ଧାର୍ଯ୍ୟ ବେତନ ସହ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ପ୍ରାପ୍ୟ ମିଳିବ । ପଦବୀଗୁଡ଼ିକ ପୂରଣ ହେବା ଦିନଠାରୁ ଏହି ମଞ୍ଜୁରି କାର୍ଯ୍ୟକାରୀ ହେବ । ସ୍ୱତନ୍ତ୍ର ଅଦାଲତଗୁଡ଼ିକରେ ଆବଶ୍ୟକ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ନିୟୋଜନ ଦ୍ୱାରା ସାଂସଦ ଓ ବିଧାୟକଙ୍କ ସମ୍ପୃକ୍ତି ଥିବା ଅପରାଧିକ ମାମଲାର ବିଚାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।
