ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ମୃତ, ୯ ଆହତ

Bangladesh

ବାଂଲାଦେଶ : ବାଂଲାଦେଶର କକ୍ସ ବଜାର ଜିଲ୍ଲାରେ ଏକ ସିସାଇଡ ରିସାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଭୋର ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ତିନିମହଲା ବିଶିଷ୍ଟ ରିସୋର୍ଟଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି ।

ସୂଚନାନୁଯାୟୀ, ଶନିବାର ସକାଳ ପ୍ରାୟ ୬ଟା ୩୦ ସମୟରେ କକ୍ସ ବଜାରର ଇନାନିରେ ଥିବା ଟୁପାଟୁପ୍ ରେଷ୍ଟୋ ଏବଂ ରିସର୍ଟରେ ଅଗ୍ନିକାଣ୍ଡ ଘଟିଥିଲା ।  ବାଉଁଶ ଓ କାଠରେ ନିର୍ମିତ ଏହି ରିସୋର୍ଟରେ ନିଆଁ ଦ୍ରୁତଗତିରେ ବ୍ୟାପିଯିବାରୁ ଭିତରେ ଥିବା ଲୋକଙ୍କୁ ବାହାର କରିବା କଷ୍ଟକର ହୋଇପଡ଼ିଥିଲା । ଘଟଣା ସମୟରେ ରିସୋର୍ଟରେ ପ୍ରାୟ ୩୦ ଜଣ ପର୍ଯ୍ୟଟକ ଓ କର୍ମଚାରୀ ରହିଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୪ରୁ ୫ ଜଣ ସୁରକ୍ଷିତ ଭାବେ ବାହାରି ପାରିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ । କକ୍ସ ବଜାରର ଡେପୁଟି କମିଶନର ଏ. ମନ୍ନାନଙ୍କ ସୂଚନା ଅନୁସାରେ, ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମୃତଦେହଗୁଡ଼ିକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ଡିଏନଏ ନମୁନା ସଂଗ୍ରହ କରାଯାଉଛି ।

ଅନ୍ୟପଟେ, ଗୁରୁତର ଆହତମାନଙ୍କୁ କକ୍ସ ବଜାର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଶରୀର ଗୁରୁତର ଭାବେ ପୋଡ଼ିଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଭୟାବହ ଅଗ୍ନିକାଣ୍ଡ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Share