ଛାତ୍ର ସଂସଦ ନିର୍ବାଚନରେ ABVPର ପ୍ରଦର୍ଶନକୁ ପ୍ରଶଂସା କଲେ ଅମିତ ଶାହ

Amit shah 750x418

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହି ବିଜୟ ସୂଚାଉଛି ଯେ ଯୁବବର୍ଗ ‘ଅରାଜକତାର ରାଜନୀତି’କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଜାତୀୟତାବାଦ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

ଏଥିସହିତ ସେ ଏକ ପୋଷ୍ଟ ମଧ୍ଯ କରିଛନ୍ତି। “ଓଡ଼ିଶାର ଛାତ୍ରସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା abvpodisha ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।ପ୍ରଥମେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଏବେ ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏହି ବିଜୟ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଦେଶର ଯୁବଶକ୍ତି ମିଥ୍ୟା, ଭ୍ରମ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତିମାନଙ୍କ ସହ ନୁହେଁ, ବରଂ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହ ଦୃଢ଼ତାର ସହ ଛିଡା ହୋଇଛନ୍ତି। ଏହି ଫଳାଫଳ ଦେଶବିରୋଧୀ ଶକ୍ତିମାନଙ୍କ ପାଇଁ ଏକ କଡ଼ା ଜବାବ” ବୋଲି ଉଲ୍ଲେଖ କରିଛନ୍ତି।

ଭାରତୀୟ ଜନତା ପାର୍ଟିର ଏହି ବରିଷ୍ଠ ନେତା କହିଛନ୍ତି ଯେ, ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକରେ ହୋଇଥିବା ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ ଦେଶର ଯୁବଶକ୍ତି ଦୃଢ଼ ଭାବରେ ‘ରାଷ୍ଟ୍ର ପ୍ରଥମ’ ଆଦର୍ଶ ସହ ଜଡ଼ିତ ଅଛନ୍ତି। ସେମାନେ ମିଥ୍ୟା, ଭ୍ରମ ଏବଂ ଅରାଜକତା ସୃଷ୍ଟି କରୁଥିବା ଶକ୍ତିଗୁଡ଼ିକ ସହ ନାହାନ୍ତି। ଅନ୍ୟପକ୍ଷରେ ବିଜେପିର ଜାତୀୟ ସମ୍ପାଦକ ନିତିନ ନବୀନ ମଧ୍ୟ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ABVP ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share