ନୂଆଦିଲ୍ଲୀ : CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମଞ୍ଜୁର କଲେ ଦିଲ୍ଲୀ SEM କୋର୍ଟ । CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମିଳିଛି। ଦିଲ୍ଲୀର ସ୍ପେଶାଲ୍ ଏକ୍ ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ (SEM) କୋର୍ଟ ତାଙ୍କ ଜାମିନ୍ ମଞ୍ଜୁର କରିଛନ୍ତି। ଦିଲ୍ଲୀର କନଟ୍ ପ୍ଲେସ୍ ରେ ପ୍ରସ୍ତାବିତ ‘ଲେହରା ଦୋ ତିରଙ୍ଗା’ କାର୍ଯ୍ୟକ୍ରମକୁ ନେଇ ପୋଲିସ ଓ CJP ମଧ୍ୟରେ ଉପୁଜିଥିବା ବିବାଦ ପରେ ଏହି ଘଟଣାକ୍ରମ ସାମ୍ନାକୁ ଆସିଛି।
ଅକ୍ଟୋବର ୧୬ ତାରିଖରେ କନଟ୍ ପ୍ଲେସ୍ ର ସେଣ୍ଟ୍ରାଲ୍ ପାର୍କରେ ତିରଙ୍ଗା ଯାତ୍ରା ପାଇଁ ଆହ୍ୱାନ ଦେଇଥିଲେ ଦୀପକେ। ତେବେ ସେହି ଅଞ୍ଚଳରେ ନିଷେଧାଜ୍ଞା ଲାଗୁ ଥିବା ଏବଂ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଅନୁମତି ନଥିବା ଦର୍ଶାଇ ଦିଲ୍ଲୀ ପୋଲିସ ତାଙ୍କୁ ନୋଟିସ୍ ଦେଇଥିଲା। ଏହାକୁ ନେଇ ଦୀପକେ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ପୋଲିସର ଅଭିଯୋଗକୁ ନେଇ ପ୍ରଶ୍ନ ଉଠାଇବା ସହ ହିଂସା ପାଇଁ ଉସୁକାଇଥିବାର ପ୍ରମାଣ ଦେଖାଇବାକୁ ଦାବି କରିଥିଲେ ଦୀପକେ।
ଏବେ SEM କୋର୍ଟରୁ ତାଙ୍କୁ ଜାମିନ୍ ମିଳିଥିବା ବେଳେ ଜାମିନ୍ ର ସର୍ତ୍ତାବଳୀ ସମ୍ପର୍କରେ ସବିଶେଷ ତଥ୍ୟ ଅପେକ୍ଷା କରାଯାଇଛି। ଅକ୍ଟୋବର ୧୭ରେ ଦୀପକେଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ମାର୍ଗ ଥାନା ପରିସରରେ ଥିବା SEM କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୨୬ ଓ ୧୭୦ ଅନୁଯାୟୀ ପ୍ରତିଷେଧମୂଳକ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଦୀପକେଙ୍କ ଅଟକକୁ ବେଆଇନ ବୋଲି ଅଭିଯୋଗ କରିଥିଲେ CJPର ଆଇନ ବିଭାଗ ମୁଖ୍ୟ ରତ୍ନା ସିଂହ।
