ନୂଆଦିଲ୍ଲୀ: ଦେଶକୁ ନିଶାଦ୍ରବ୍ୟର କବଳରୁ ମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ବଡ଼ ଲକ୍ଷ୍ୟ। ୨୦୨୯ ଡିସେମ୍ବର ୩୧ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ଡ୍ରଗ୍ସମୁକ୍ତ କରିବା ପାଇଁ ଡେଡ୍ଲାଇନ୍ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିପାଇଁ ସବୁ ରାଜ୍ୟର ପୋଲିସ ବାହିନୀକୁ ଏକାଠି ହୋଇ ନିଶାଦ୍ରବ୍ୟ ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି ସେ। ଦେଶର ଅର୍ଥନୈତିକ ବିକାଶ ପାଇଁ ନିଶାଦ୍ରବ୍ୟର ପ୍ରସାର ଏକ ବଡ଼ ବିପଦ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି।
ବୁଧବାର, ଅକ୍ଟୋବର ୨୧ରେ ନୂଆଦିଲ୍ଲୀସ୍ଥିତ ଜାତୀୟ ପୋଲିସ ସ୍ମାରକୀଠାରେ ଆୟୋଜିତ ୨୦୨୬ ପୋଲିସ ସ୍ମୃତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶାହ ଏହି ଘୋଷଣା କରିଛନ୍ତି। ଏହି ଅବସରରେ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ପ୍ରାଣ ହରାଇଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ରକ୍ଷାରେ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF)ର ଭୂମିକାକୁ ପ୍ରଶଂସା କରିଛନ୍ତି।
ଅମିତ ଶାହ କହିଛନ୍ତି ଯେ ନିଶାଦ୍ରବ୍ୟର ସମସ୍ୟା କେବଳ ଆଇନଶୃଙ୍ଖଳାର ପ୍ରସଙ୍ଗ ନୁହେଁ, ଏହା ଦେଶର ଯୁବପିଢ଼ି, ସମାଜ ଓ ଅର୍ଥନୀତି ପାଇଁ ମଧ୍ୟ ବଡ଼ ଆହ୍ୱାନ। ନିଶାଦ୍ରବ୍ୟର ପ୍ରସାର ଦେଶର ବିକାଶକୁ କ୍ଷତି ପହଞ୍ଚାଇବା ସହ ଅର୍ଥନୀତି ଉପରେ ଅତିରିକ୍ତ ବୋଝ ସୃଷ୍ଟି କରିପାରେ। ଗୃହମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୦୨୬ର ଅବଶିଷ୍ଟ ସମୟ ସହ ୨୦୨୭, ୨୦୨୮ ଓ ୨୦୨୯ ମସିହାକୁ ମିଶାଇ ଆଗାମୀ ସାଢ଼େ ୩ ବର୍ଷ ଧରି ନିଶାଦ୍ରବ୍ୟ ବିରୋଧରେ ଏକ ସମନ୍ୱିତ ଅଭିଯାନ ଚାଲିବ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ୨୦୨୯ ଡିସେମ୍ବର ୩୧ ସୁଦ୍ଧା ଦେଶକୁ ନିଶାଦ୍ରବ୍ୟର ସମସ୍ୟାରୁ ମୁକ୍ତ କରିବା।
