ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅକୱାନ’ ଶୁକ୍ରବାର ଓଡ଼ିଶା ଉପକୂଳ ଅତିକ୍ରମ କରିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଇଣ୍ଡିଗୋ ତରଫରୁ ଭୁବନେଶ୍ୱରରୁ କୋଲକାତା ଓ ଆହ୍ଲାବାଦ ଯିବାକୁ ଥିବା ୪ଟି ବିମାନର ଉଡ଼ାଣ ବାତିଲ କରିଦିଆଯାଇଥିଲା । ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ବାତ୍ୟା ‘ଅକୱାନ’ ଶୁକ୍ରବାର ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଭୁବନେଶ୍ୱସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ପରେ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ହାତକୁ ନେଇଥିଲେ । ଖରାପ ପାଗ ଯୋଗୁ ବିମନ ଗୁଡିକର ଉଡ଼ାଣ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏଥିପ୍ରତି ତୀକ୍ଷ୍ଣ ନଜର ରଖାଯାଇଥିଲା । ବିମାନ ଚଳାଚଳ ଓ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ୫୮ଟି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ । ତେବେ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ସ୍ୱାଭାବିକ ଥିବାରୁ ବିମାନ ଚଳାଚଳରେ କୌଣସି ବାଧା ଆସି ନ ଥିବା ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଖରାପ ପାଗ କାରଣୁ ଘରେଇ ବିମାନ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ସ୍ୱଳ୍ପ ଦୂରଗାମୀ ୪ଟି ବିମାନର ଉଡ଼ାଣ ବାତିଲ କରାଯାଇଥିଲା । ସେଗୁଡ଼ିକ ହେଲା ଭୁବନେଶ୍ୱରରୁ କୋଲକାତା ଯିବାକୁ ଥିବା ୬ଇ୭୪୩୨, ୬ଇ୭୪୩୪,୬ଇ୭୪୩୬ ଓ ଭୁବନେଶ୍ୱରରୁ ଆହ୍ଲାବାଦ ଯିବାକୁ ଥିବା ୬ଇ୭୭୨୩ । ଫଳରେ ଏହି ରୁଟ୍ରେ ଯିବାକୁ ଥିବ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବିମାନ ବନ୍ଦର ବାହାରେ ପ୍ରବଳ ବର୍ଷା ସହ ତୁହାକୁ ତୁହା ପବନ ଯାତ୍ରୀମାନଙ୍କ ଅସୁବିଧାକୁ ଆହୁରି ବଢାଇ ଦେଇଥିଲା ।
ଅକଭାନ ପାଇଁ ବିମାନ ଉଡ଼ାଣ ଆଂଶିକ ପ୍ରଭାବିତ, ଇଣ୍ଡିଗୋର ୪ ବିମାନ ବାତିଲ
