ବଲାଙ୍ଗୀର : ଭାଇରାଲ ହେଉଛି ସରପଞ୍ଚ ଓ ଇଞ୍ଜିନିୟରଙ୍କ ମଧ୍ୟରେ ଲଢ଼େଇ । ଆଜି ଏହି ଖବର ରହିଛି ସବୁଠି ଭାରି ଚର୍ଚ୍ଚାରେ । ପ୍ରଥମେ ଯୁକ୍ତି ତର୍କ ଆଉ ପରେ ଧସ୍ତାଧସ୍ତି । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ପକେଟରୁ ନିଜ ମୋବାଇଲ ବାହାର କରି ଏ ଦୃଶ୍ୟକୁ ରେକର୍ଡ କରିଥିଲେ । ଯାହା ଏବେ ସବୁଠି ମୋବାଇଲ କୁ ମୋବାଇଲ ଘୂରି ବୁଲୁଛି ।
ନିମ୍ନମାନର କାମ ସମ୍ପର୍କରେ ପିଡବ୍ଲୁଡି ଏସଡିଓଙ୍କୁ ପଚାରିଥିଲେ ସରପଞ୍ଚ । ବାସ୍ ଏତିକି କଥାରେ ସରକାରୀ ବାବୁଙ୍କ ରାଗ ଉଠିଗଲା ପଞ୍ଚମକୁ । ଏହି କଥା ଶୁଣି ରାଗିଯାଇଥିଲେ ପିଡବ୍ଲୁଡି ଏସଡିଓ । ସବୁ କଥାରେ କାହିଁକି ବାଧା ଉପୁଯାଉଛ ବୋଲି କହି ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ମାଡ ମାରିଥିଲେ । ଉପସ୍ଥିତ ଲୋକେ ଏସଡିଓଙ୍କ କବଳରୁ ସରପଞ୍ଚଙ୍କୁ ଉଦ୍ଧାର କରିଥିଲେ । ଆଉ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସଡିଓଙ୍କ ଏପରି ଆଚରଣକୁ ସାଧାରଣ ଲୋକେ ନିନ୍ଦା କରୁଛନ୍ତି । ଅନ୍ୟପଟେ ଖବର ପାଇ ହରିଶଙ୍କର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଏସଡିଓ ଓ ସରପଞ୍ଚଙ୍କୁ ଖପ୍ରାଖୋଲ ଥାନାକୁ ଆଣି ପଚରାଉଚରା କରୁଛି ।