ପ୍ରକାଶ ପାଇଲା +୩ ପ୍ରଥମ କଟ୍ ଅଫ ଲିଷ୍ଟ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ବିଜ୍ଞାନ, ବାଣିଜ୍ୟ, କଳାରେ ରେଭେନ୍ସାରେ ଯାଇଛି ସର୍ବାଧିକ କଟ୍ ଅଫ୍ । ରାଜ୍ୟର ଅନ୍ୟ କଲେଜ ଅପେକ୍ଷା ରେଭେନ୍ସା କଲେଜରେ କଟଅଫ୍ ମାର୍କ ସର୍ବାଧିକ ରହିଥିବା ଜଣାପଡିଛି । ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦% ରହିଛି । ପ୍ରାଣି ବିଜ୍ଞାନରେ ୯୪%, ଫିଜିକ୍ସରେ ୯୩.୬୭% କଟ୍ ଅଫ ମାର୍କ । ରେଭେନ୍ସା ବିଶ୍ବବିଦ୍ୟାଳୟର ବାଣିଜ୍ୟରେ କଟ୍ ଅଫ ରହିଛି ୯୦.୫୦% ।
ସେହିପରି ବିଜେବି କଲେଜର କଂପୁ୍ୟଟର ସାଇନ୍ସରେ ୮୮.୫୩% କଟ୍ ଅଫ ନିଆଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ଲ’ କଲେଜର LLBରେ କଟ୍ ଅଫ ରହିଛି ୮୭.୮୦ ପ୍ରତିଶତ । ଯୋଗ୍ୟ ଛାତ୍ରଛାତ୍ରୀ ୧୩, ୧୬ ଓ ୧୭ ତାରଖ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆଡମିସନ କରିପାରିବେ ।
ଯୁକ୍ତ ତିନି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨ ଲକ୍ଷ ୭୪ ହଜାର ୫୦୯ ସିଟ୍ ଥିବା ବେଳେ ମୋଟ ୨ ଲକ୍ଷ ୬୫ ହଜାର ୫୯୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୫ ହଜାର ୭୨୨ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ସେଥମଧ୍ୟରୁ ୭୦ ହଜାର ୭୪୫ ଜଣ ପୁଅ ଓ ୧ ଲକ୍ଷ ୪ ହଜାର ୮୬୭ ଝିଅ ମନୋନୀତ ହୋଇଛନ୍ତି । ସେହିଭଳି ୧୦ ଜଣ ତୃତୀୟଲିଙ୍ଗୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଜୁଲାଇ ୧୦ରୁ +୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୟନ ହୋଇଥିବା କଲେଜରେ ପଢ଼ିବା ପାଇଁ ଆଗ୍ରହୀ ଥିଲେ ଛାତ୍ରୀଛାତ୍ରମାନେ ଫ୍ରିଜ୍ ଅପସନ୍ ଦେବେ । ଅନ୍ୟଥା ସ୍ଲାଇଡ୍ ବା ଫ୍ଲଟ୍ ଅପସନ୍ ଦେଇପାରିବେ। ଫ୍ରିଜ୍ ଅପସନ୍ ଦେଇଥିବା ଛାତ୍ରୀଛାତ୍ର କଲେଜକୁ ଯାଇ ନାମଲେଖାଇବେ । ସ୍ଲାଇଡ୍ ବା ଫ୍ଲଟ୍ ଅପସନ୍ ଦେଲେ କଲେଜକୁ ନ ଯାଇ କେବଳ ଅନ୍ଲାଇନ୍ରେ ଫି’ ଜମା କରିବେ ।