ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳବାଇ ଗତ କିଛି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ଟ୍ରେନ ଭଡା ବୃଦ୍ଧି କରିବାକୁ ଯାଉଛି। ଆସନ୍ତା ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ। ରିପୋର୍ଟ ଅନୁଯାୟୀ, ଅଣ-ବାତନୁକୂଳିତ ଟ୍ରେନ ଏବଂ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କିଲୋମିଟର ପ୍ରତି ୧ ପଇସା ଭଡା ବୃଦ୍ଧି ପାଇବ।
ସାରା ଦେଶରେ ପ୍ରାୟ ୧୩ ହଜାର ଦୈନିକ ଅଣ-ବାତାନୁକୂଳିତ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନର ଟିକେଟ୍ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିବ। ଏସି ଶ୍ରେଣୀର ଯାତ୍ରୀଙ୍କ ପାଇଁ, ପ୍ରତି କିଲୋମିଟରରେ ୨ ପଇସା ଭଡା ବୃଦ୍ଧି ହେବ। ତେବେ ଯାହା ସୂଚନା ରହିଛି, ଭଡା ବୃଦ୍ଧି ଯାତ୍ରୀଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ଉପନଗରୀୟ ଟ୍ରେନ ଭଡା ଏବଂ ମାସିକ ସିଜନ୍ ଟିକେଟ୍ ମୂଲ୍ୟ ଅପରିବର୍ତ୍ତିତ ରହିବ, ଯାହା କାର୍ଯ୍ୟସ୍ଥଳକୁ ଯିବା ଏବଂ ଫେରିବା ପାଇଁ ପ୍ରତିଦିନ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।
ଏହା ସହିତ, ସାଧାରଣ ଦ୍ୱିତୀୟ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କୌଣସି ଭଡା ବୃଦ୍ଧି ହେବ ନାହିଁ। ତଥାପି, ସାଧାରଣ ଦ୍ୱିତୀୟ ଶ୍ରେଣୀରେ ୫୦୦ କିଲୋମିଟରରୁ ଅଧିକ ଯାତ୍ରା ପାଇଁ, ପ୍ରତି କିଲୋମିଟରରେ ଭଡ଼ା ମାତ୍ର ଅଧ ପଇସା ବୃଦ୍ଧି ପାଇବ। ଉଦାହରଣ ସ୍ୱରୂପ, ୬୦୦ କିଲୋମିଟର ଯାତ୍ରା ପାଇଁ ମାତ୍ର ୫୦ ପଇସା ବୃଦ୍ଧି ପାଇବ।
ପୂର୍ବରୁ ୨୦୨୫ ଜୁନରେ, ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଥିଲା। ୧ ଜୁଲାଇ, ୨୦୨୫ ଠାରୁ, ତତ୍କାଳ ଟିକେଟ ବୁକିଂ ପାଇଁ ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। ଭାରତୀୟ ରେଳବାଇର ବିଜ୍ଞପ୍ତି ଅନୁଯାୟୀ, ଜୁଲାଇ ୧ ଠାରୁ, ତତ୍କାଳ ଟିକେଟ କେବଳ ଆଧାର ଯାଞ୍ଚ ସମାପ୍ତ କରିଥିବା ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ। ଏହା କେବଳ ସରକାରୀ ଆଇଆରସିଟିସି ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ବୁକିଂ କରାଯାଇପାରିବ। ଏହା ସହିତ, ଜୁଲାଇ ୧୫ ଠାରୁ ଯାତ୍ରୀମାନଙ୍କୁ ଆଧାର ଜରିଆରେ ଓଟିପି ଯାଞ୍ଚ କରିବାକୁ ପଡିବ।