Ind us trade deal 1068x601

ଭାରତକୁ ଅକଳରେ ପକାଇବାକୁ ଆମେରିକାର ଅପଚେଷ୍ଟା ବିଫଳ ହେବା ପରେ ଏବେ ସମ୍ପର୍କ ସୁଧାରିବାକୁ ଛଟପଟ ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏସସିଓ ସମ୍ମିଳନୀରେ ଭାରତ-ଚୀନ-ରୁଷ ଗୋଟିଏ ମଞ୍ଚରେ ଏକାଠି ହେବା ପରେ ଟ୍ରମ୍ପଙ୍କ ନିଦ ହଜିଯାଇଛି।  ସେବେଠାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ନରମ ମନୋଭାବ ପରିପ୍ରକାଶ କରୁଥିବାବେଳେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ରାଜିନାମା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଯେଉଁଥିପାଇଁ ଆମେରିକାର ମୁଖ୍ୟ ମଧ୍ୟସ୍ଥ ସୋମବାର ରାତି ସୁଦ୍ଧା ଭାରତରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ଏବଂ ମଙ୍ଗଳବାରଠାରୁ ରାଜିନାମା ସମ୍ପର୍କରେ ପୁନର୍ବାର ଆଲୋଚନା ଆରମ୍ଭ ହେବ।

ଭାରତ ରୁଷଠାରୁ ତୈଳ ଆମଦାନୀ ବନ୍ଦ ନ କରିବାରୁ ଭାରତ-ଆମେରିକା ବାଣିଜ୍ୟିକ ରାଜିନାମା ଆଗକୁ ବଢ଼ିବ ନାହିଁ ବୋଲି ଟ୍ରମ୍ପ ଚେତାବନୀ ଦେଇଥିଲେ। ଏପରି କି ଆମେରିକୀୟ ଉତ୍ପାଦ ଉପରେ କୌଣସି ଶୁଳ୍କ ଲାଗୁ ନ କରିବାକୁ ଭାରତର ପ୍ରସ୍ତାବକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କିନ୍ତୁ ଟ୍ରମ୍ପ ଭାରତକୁ ଅକଳରେ ପକାଇବାକୁ ଯେଉଁ ସବୁ ଉଦ୍ୟମ କରିଥିଲେ ତାହା ପଣ୍ଡ ହୋଇଯିବାରୁ ଏବେ ବୁଦ୍ଧି ଶଖିଛନ୍ତି ବୋଲି ଅର୍ଥନୀତିଜ୍ଞମାନେ ମତ ଦେଉଛନ୍ତି। ଦୁଇ ଦେଶ ମଧ୍ୟରେ ନଷ୍ଟ ହୋଇଥିବା ସମ୍ପର୍କକୁ କିପରି ସୁଧାରି ହେବ ସେ ଦିଗରେ ଟ୍ରମ୍ପ ପଦକ୍ଷେପ ନେଉଛନ୍ତି। ନିକଟରେ ଟ୍ରମ୍ପ ମୋଦୀଙ୍କୁ ତାଙ୍କର ପ୍ରିୟ ବନ୍ଧୁ ବୋଲି କହିଥିଲେ। ମୋଦୀ ବି ଅନେକ ଦିନ ପରେ ଟ୍ରମ୍ପଙ୍କ ମନ୍ତବ୍ୟର ଉତ୍ତର ଦେଇଥିଲେ। ଏହା ପରେ ଟ୍ରମ୍ପ ବାଣିଜ୍ୟିକ ରାଜିନାମା ପାଇଁ ଏକ ଟିମ୍ ଭାରତକୁ ପଠାଇଛନ୍ତି। ଭାରତ ସହିତ ସମ୍ପର୍କ ସୁଧାରିବାକୁ ଟ୍ରମ୍ପଙ୍କ ବ୍ୟାକୁଳତା ଏଥିରୁ ସ୍ପଷ୍ଟ ହୋଇଛି।

Share