ବହୁରଙ୍ଗୀ ଏଲଇଡି/ଲେଜର/ନିଅନ୍ ଲାଇଟ୍, ଘୁରୁଥିବା ଡିଜେ ଲାଇଟ୍, କିମ୍ବା AIS-008 ନିର୍ଦ୍ଦିଷ୍ଟକରଣ ଅନୁଯାୟୀ ନଥିବା ଯେକୌଣସି ଆଲୋକ ବ୍ୟବସ୍ଥା ବ୍ୟବହାର ନିଷେଧ ରହିଛି । ସେହିଭଳି ମୋଟର ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ଏବଂ ସମାନ ସେଟଅପ୍ ବ୍ୟବହାର ମଧ୍ୟ ବେଆଇନ ଅଟେ ।
ଡିଜେ ଗାଡ଼ିର ଶବ୍ଦ, ଆଲୋକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ଅନେକ ସମୟରେ ଦୁର୍ଘଟଣା ଓ ଅଘଟଣର କାରଣ ସାଜୁଛି । ସେହିଭଳି ଗାଡ଼ିରେ ଡିଜେ ସେଟ୍ ଅପ୍ ପାଇଁ ମନଇଚ୍ଛା ଯନ୍ତ୍ରାଂଶ ପରିବହନ ମଧ୍ୟ ବେଆଇନ ।
ବେଆଇନ ଡିଜେ ଗାଡ଼ି ଯୋଗୁଁ ନିକଟ ଅତୀତରେ ଘଟିଥିବା କିଛି ଅଘଟଣର ଉଦାହରଣ –
ମେ ୨୦୨୫: କଟକରେ ଏକ ଡିଜେ ଭ୍ୟାନରେ ସଟସର୍କିଟ୍ ଯୋଗୁଁ ନିଆଁ ଲାଗି ଦୁଇ ଯାତ୍ରୀ ଗୁରୁତର ହୋଇଥିଲେ । ସେହିପରି ମାର୍ଚ୍ଚ ୨୦୨୪ରେ ବରଗଡ଼ରେ ଏକ ଡିଜେ ଗାଡ଼ି ଓଲଟିବାରୁ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିଲେ। ଡିଜେ ଲାଇଟ୍ ଯୋଗୁଁ ଭାରସାମ୍ୟ ହରାଇଥିଲେ ଡ୍ରାଇଭର । ନଭେମ୍ବର ୨୦୨୩ରେ ଗଞ୍ଜାମରେ ଡିଜେ ଲାଇଟ୍ ଯୋଗୁଁ ଡିଜେ ଗାଡ଼ି ସହ ବାଇକ ଧକ୍କା ହୋଇଥିଲା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଜନସାଧାରଣଙ୍କ ସୁରକ୍ଷା ପାଇଁ ଏହି ଅସୁରକ୍ଷିତ ଡିଜେ ଗାଡ଼ିକୁ ରୋକିବା ଆବଶ୍ୟକୀୟ ହୋଇପଡ଼ିଛି ।
ବିଭାଗ ପକ୍ଷରୁ ଏହି ଅଭିଯାନକୁ ଅଧିକ ପ୍ରଭାବୀ କରିବାକୁ ରାତି ତଥା ଉତ୍ସବ ଆଦି ସମୟରେ ବିଶେଷ ଧ୍ୟାନ ରଖାଯିବ । ଯେକୌଣସି କାର୍ଯ୍ୟକ୍ରମ ହେଉ, ସର୍ବଦା ନିୟମ ପାଳନ ହେବା ଉଚିତ୍ । ନିୟମ ଉଲ୍ଲଙ୍ଘନ ସର୍ବଦା ଅଘଟଣକୁ ଆମନ୍ତ୍ରଣ କରେ । ଉତ୍ସବରେ ଆନନ୍ଦକୁ ଦୁଃଖରେ ପରିଣତ କରେ । ତେଣୁ ଯେଉଁମାନେ ସାମୂହିକ ସୁରକ୍ଷା ସୁନିଶ୍ଚିତ କରିବାକୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଚାଲାଣ କଟାଯିବ ଓ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାସହ ଗାଡ଼ି ମାଲିକ ତଥା ଅପରେଟରମାନଙ୍କୁ ଆଇନ ଓ ସୁରକ୍ଷା ମାନଦଣ୍ଡ ବିଷୟରେ ସଚେତନ କରିବା ପାଇଁ ବିଭାଗ ଦ୍ୱାରା ସଚେତନତା ଅଭିଯାନ ଆରମ୍ଭ କରାଯିବ । ଲୋକମାନେ ଯେଉଁ ଯାନକୁ ଭଡ଼ାରେ ନେଉଛନ୍ତି ବା ବ୍ୟବହାର କରୁଛନ୍ତି, ସେହି ଯାନ ପଞ୍ଜିକୃତ ଅଛି କି ନାହିଁ, ଏହା ସୁରକ୍ଷା ମାନଦଣ୍ଡକୁ ପାଳନ କରୁଛି କି ନାହିଁ ସେଥିପ୍ରତି ମଧ୍ୟ ଯତ୍ନବାନ ହେବାକୁ ଅନୁରୋଧ କରାଯାଇଛି ।
ସଡ଼କ ସୁରକ୍ଷା ଏକ ମିଳିତ ପ୍ରୟାସ । ଏ ଦିଗରେ ସମସ୍ତେ ସହଯୋଗ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଡିଜେ ଭ୍ୟାନ୍ ପ୍ରତି ଏହି ଆଭିମୁଖ୍ୟ, ସାମୂହିକ ସ୍ୱାର୍ଥ ତଥା କେବଳ ଓ କେବଳ ସଡ଼କ ସୁରକ୍ଷାକୁ ସଶକ୍ତ କରିବାକୁ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସଡ଼କ ଦୁର୍ଘଟଣା ହ୍ରାସ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ଆଧାରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରାଯାଉଛି । ତେଣୁ ଆଗାମୀ ପାର୍ବଣ ଋତୁରେ ଏଭଳି ବେଆଇନ ଯାନକୁ ବ୍ୟବହାର ନକରିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି। ଏଥିପାଇଁ ପୋଲିସ ବିଭାଗର ମଧ୍ୟ ସହଯୋଗ ଲୋଡ଼ା ଯାଇଛି।

