ଇସଲାମାବାଦ: ପାକିସ୍ତାନରେ ଅନର କିଲିଂର ବୃଦ୍ଧି ପାଉଥିବା ଘଟଣା ଏକ ଗମ୍ଭୀର ମାନବାଧିକାର ସଙ୍କଟ ପାଲଟିଛି । ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଦେଶରେ ଏହି ହତ୍ୟାକାଣ୍ଡର ସଂଖ୍ୟା ବହୁତ ଅଧିକ, କିନ୍ତୁ ଅପରାଧୀମାନଙ୍କୁ ଦଣ୍ଡ ଦେବାର ହାର ଚିନ୍ତାଜନକ ଭାବରେ କମ୍ ରହିଛି। ବ୍ୟକ୍ତିଗତ ଦୁଃଖଦ ଘଟଣା ବ୍ୟତୀତ, ଏହି ପ୍ରସଙ୍ଗ ଏକ ଭୟଙ୍କର ଜାତୀୟ ଚିତ୍ର ଆଙ୍କିଛି ଯେଉଁଠି ନ୍ୟାୟର ଆଶା କ୍ରମଶଃ କ୍ଷୀଣ ହେବାରେ ଲାଗିଛି। ପରିବାର ଦ୍ୱାରା କରାଯାଉଥିବା ଆପୋଷ ବୁଝାମଣା ଓ ନ୍ୟାୟିକ ପ୍ରକ୍ରିୟାରେ ଅତ୍ୟଧିକ ବିଳମ୍ବ ଏହି ମାନବିକ ସମସ୍ୟାକୁ ଆହୁରି ଜଟିଳ କରୁଛି।
ସଷ୍ଟେନେବଲ୍ ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଏସ୍ଏସ୍ଡିଓ) ଦ୍ୱାରା ପ୍ରକାଶିତ ଏକ ଗବେଷଣା ରିପୋର୍ଟ ସରକାରୀ ରେକର୍ଡ ଓ ଅନେକ ଆନ୍ତର୍ଜାତୀୟ ଅଧ୍ୟୟନର ତଥ୍ୟ ଉପରେ ଆଧାରିତ। ଆଇନ ଥିବା ସତ୍ତ୍ୱେ, ଦୁର୍ବଳ ତଦନ୍ତ ଓ ସାମାଜିକ ଚାପ ନ୍ୟାୟ ମିଳିବାରେ ସବୁଠାରୁ ବଡ଼ ପ୍ରତିବନ୍ଧକ ପାଲଟିଛି। ୨୦୨୪ରେ ପଞ୍ଜାବ ପ୍ରଦେଶରେ ସର୍ବାଧିକ ୨୨୫ଟି ଅନର କିଲିଂ ମାମଲା ରେକର୍ଡ କରାଯାଇଛି। କିନ୍ତୁ କେବଳ ଦୁଇଟିରେ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
ଖାଇବର ପଖତୁନଖ୍ୱାରେ ମୋଟ ୧୩୪ଟି ମାମଲା ପଞ୍ଜିକୃତ ହୋଇଛି। ଯେଉଁଥିରୁ କେବଳ ଦୁଇଟିରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସିନ୍ଧ ପ୍ରଦେଶରେ ମଧ୍ୟ ଅନେକ ଘଟଣା ରିପୋର୍ଟ ହୋଇଛି, କିନ୍ତୁ କୌଣସିଟିରେ ଦଣ୍ଡ ମିଳିନାହିଁ। ଯାହା ଚିନ୍ତାଜନକ ରହିଛି। ବଲୁଚସ୍ତାନରେ ୩୨ଟି ମାମଲା ରିପୋର୍ଟ ହୋଇଛି। ଯେଉଁଥିରୁ କେବଳ ଗୋଟିଏରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଯାହା ନ୍ୟାୟ ପ୍ରଦାନ ଓ ଜୀବନ ହରାଇବା ବ୍ୟକ୍ତିଙ୍କ ମଧ୍ୟରେ ବଡ଼ ପାର୍ଥକ୍ୟକୁ ଉଲ୍ଲେଖ କରୁଛି।
ସାମାଜିକ କର୍ମୀ ଇମ୍ରାନ ଟକ୍କରଙ୍କ ଅନୁଯାୟୀ, ପାକିସ୍ତାନରେ ଅନର କିଲିଂର ଶିକାର ହୋଇଥିବା ପ୍ରାୟ ୯୦ ପ୍ରତିଶତ ହେଉଛନ୍ତି ମହିଳା। ମହିଳାମାନଙ୍କୁ ସମାଜରେ ଏକ ଦୁର୍ବଳ ଏବଂ ନିର୍ଯାତିତ ଗୋଷ୍ଠୀ ଭାବରେ ବିବେଚନା କରାଯାଉଛି। ଯାହା ଫଳରେ ସେମାନଙ୍କ ଉପରେ ହିଂସା ବହୁତ ସହଜ ହୋଇଯାଉଛି। ଅନେକ କ୍ଷେତ୍ରରେ, ପୀଡିତାଙ୍କ ନିଜ ପରିବାର ନ୍ୟାୟ ପାଇବାକୁ ମନା କରିଦେଉଛନ୍ତି। ଯାହା ଫଳରେ ଅପରାଧୀମାନେ ଦଣ୍ଡ ନପାଇ ଗଳାବାଟ ଦେଇ ଆରାମରେ ଖସିଯାଉଛନ୍ତି।
ବରିଷ୍ଠ ଆଇନଜୀବୀ ଶବୀର ହୁସେନ ଗିଗିଆନି କହିଛନ୍ତି ଯେ, ପୁଲିସର ନିମ୍ନମାନର ତଦନ୍ତ ଓ ଖରାପ ମାମଲା ଦାୟର ଆଜି ନ୍ୟାୟ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି। ପ୍ରାୟତଃ, ପୁଲିସ ପୀଡିତାଙ୍କ ନିକଟ ସମ୍ପର୍କୀୟଙ୍କୁ ମୁଖ୍ୟ ସାକ୍ଷୀ ଭାବରେ ନିଯୁକ୍ତ କରିଥାଏ। ଯେଉଁମାନେ ପରେ ଅଭିଯୁକ୍ତଙ୍କ ସହିତ ଆପୋଷ ବୁଝାମଣା କରିଥାନ୍ତି ଓ କୋର୍ଟରେ ବିରୋଧୀ ହୋଇଯାଆନ୍ତି। କୋର୍ଟରେ ସାକ୍ଷୀମାନେ ସେମାନଙ୍କର ବୟାନ ପରିବର୍ତ୍ତନ କରିବା ଦ୍ବାରା ଆଇନଗତ ତ୍ରୁଟି ଯୋଗୁ ପ୍ରାୟ ୮୦ରତିଶତ ମାମଲାରେ ଅଭିଯୁକ୍ତମାନେ ସହଜରେ ନିର୍ଦ୍ଦୋଷରେ ଖଲାସ ହୋଇଯାଆନ୍ତି।
ଏସ୍ଏସ୍ଡିଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୟଦ କୌସର ଆବାସଙ୍କ ଅନୁଯାୟୀ, ଅତ୍ୟନ୍ତ କମ୍ ଦଣ୍ଡବିଧାନ ହାର ଦର୍ଶାଉଛି ଯେ, ବର୍ତ୍ତମାନର ବ୍ୟବସ୍ଥା ପୀଡିତମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛି। ଏଭଳି ହତ୍ୟା ସାମାଜିକ ପରମ୍ପରାରେ ଗଭୀର ଭାବରେ ସ୍ଥାପିତ ଯାହା ହିଂସା ମାଧ୍ୟମରେ ସ୍ୱରକୁ ନୀରବ କରିଦିଏ। କଠୋର ଆଇନ ପ୍ରବର୍ତ୍ତନର ଅଭାବ ଏହି ହତ୍ୟାଗୁଡ଼ିକୁ ନୈତିକ ସଂସ୍କାର ଭାବରେ ସମାଜରେ ଅନ୍ୟାୟକୁ ନ୍ୟାୟ ଭାବରେ ଯଥାର୍ଥ କରିଛି।
ରିପୋର୍ଟରେ ପୁଲିସ ତଦନ୍ତକୁ ସୁଦୃଢ଼ କରିବା ଓ ଆଇନଗତ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଇଛି। ଅପରାଧୀମାନଙ୍କୁ ଦାୟୀ କରିବା ପାଇଁ ଦ୍ରୁତ ବିଚାର ଓ ପ୍ରଭାବଶାଳୀ ଦଣ୍ଡବିଧାନ ସୁନିଶ୍ଚିତ କରିବା ଏବେ ଏକ ଜାତୀୟ ଆବଶ୍ୟକତା ପାଲଟିଛି। ଯେପର୍ଯ୍ୟନ୍ତ ମୌଳିକ ବ୍ୟବସ୍ଥାଗତ ପରିବର୍ତ୍ତନ କରା ନ ଯାଏ, ସମାଜରେ ଏହି ସମ୍ମାନ ହତ୍ୟା ଅପରିବର୍ତ୍ତିତ ରହିବ ବୋଲି ଏସ୍ଏସ୍ଡିଓ ପକ୍ଷରୁ କୁହାଯାଇଛି।
