ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଉଦ୍ଧମ ସିଂହ ନଗର ଜିଲ୍ଲାରେ ଏକ ଛୋଟ ଭୁଲ୍ ୩ ସାଙ୍ଗ ପାଇଁ ସାଜିଲା କାଳ । ରୁଦ୍ରପୁର-ହଲଦ୍ବାନୀ ରାସ୍ତାରେ ଟାଣ୍ଡା ଜଙ୍ଗଲରେ ଏକ ସ୍କର୍ପିଓ କାର୍ ଏବଂ ସ୍କୁଟି ଧକ୍କା ହେବା ଯୋଗୁଁ ୩ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି । ଯୁବକ ୩ ଜଣ ଏକ ବିବାହ ଉତ୍ସବରୁ ଫେରୁଥିଲେ । ଆଉ ମୋବାଇଲ ଛାଡି ଆସିବାରୁ ପୁଣିଥରେ ଫେରି ସ୍କୁଟି ଯୋଗେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।
ସୂଚନା ମୁତାବକ, ସାଙ୍ଗର ବିବାହ ସମାରୋହରେ ସାମିଲ ହେବା ପାଇଁ ଯୁବକ ୩ ଜଣ ହଲଦ୍ବାନୀ ଯାଇଥିଲେ । ବିବାହ ଉତ୍ସବରେ ଯୋଗ ଦେଇ ପୁଣି ରୁଦ୍ରପୁର ଫେରିଥିଲେ । ହେଲେ ରୁଦ୍ରପୁରରେ ପହଞ୍ଚିବା ପରେ ମୋବାଇଲ ଛାଡି ଆସିଥିବା ଜାଣିବାକୁ ପାଇଥିଲେ । ତେଣୁ ମୋବାଇଲ ପୁଣି ଫେରାଇ ଆଣିବା ପାଇଁ ରାତି ୧୨ଟାରେ ସ୍କୁଟିରେ ବସି ପୁଣି ହଲଦ୍ବାନୀ ଯାଇଥିଲେ ।
ହଲଦ୍ବାନୀ ଯାଉଥିବା ବେଳେ ରାସ୍ତାରେ ଏକ ସ୍କର୍ପିଓ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ହେବା ପରେ ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ହସପିଟାଲ ପଠାଇଥିଲେ । ହେଲେ ହସପିଟାଲରେ ପହଞ୍ଚିବା ଆଗରୁ ୩ ଯୁବକଙ୍କ ପ୍ରାଣ ଚାଲିଯାଇଥିଲା । ଦୁର୍ଘଟଣାରେ କାର୍ ରେ ଥିବା ଲୋକ ଏୟାରବ୍ୟାଗ୍ ଯୋଗୁଁ ବଞ୍ଚିଯାଇଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣା ବିଷୟରେ ଖବର ପାଇଁ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ପରେ ଯୁବକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

