ପିଲିଭିତ : ଆଶ୍ଚର୍ଯ୍ୟ ଓ ଅବିଶ୍ବସନୀୟ । ରାସ୍ତାରେ ଥିବା ଖାଲଖମା ଦୁର୍ଘଟଣା ଏବଂ ମୃତ୍ୟୁର କାରଣ ସାଜିଥାଏ, ସେଠି ଖାଲ ଯୋଗୁଁ ମହିଳାଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି । ଡାକ୍ତରଙ୍କ ଦ୍ୱାରା ‘ବ୍ରେନ୍ ଡେଡ୍’ ଘୋଷଣା ହୋଇସାରିଥିବା ଜଣେ ମହିଳା ଆମ୍ବୁଲାନ୍ସରେ ଫେରୁଥିବା ସମୟରେ ଏକ ବଡ଼ ଖାଲରେ ପଡ଼ି ଝଟକା ଖାଇବା ପରେ ଆଶ୍ଚର୍ଯ୍ୟଜନକ ଭାବେ ପୁଣି ବଞ୍ଚି ଉଠିଛନ୍ତି ।
ପୀଡ଼ିତା ମହିଳାଙ୍କ ନାମ ବିନୀତା ଶୁକ୍ଳା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବରେଲିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ବଞ୍ଚିବାର କୌଣସି ଆଶା ନାହିଁ ଏବଂ ସେ ‘ବ୍ରେନ୍ ଡେଡ୍’ ହୋଇଯାଇଛନ୍ତି ବୋଲି ଡାକ୍ତରମାନେ ସ୍ପଷ୍ଟ କହିଦେଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଥିଲା । ଆଉ ଘରେ ଶେଷକୃତ୍ୟ ପ୍ରସ୍ତୁତି ମଧ୍ୟ କରିଦେଇଥିଲେ ।
ବିନୀତାଙ୍କ ସ୍ୱାମୀ କୁଲଦୀପ କୁମାର ଶୁକ୍ଳା ଏକ ଆମ୍ବୁଲାନ୍ସ ଯୋଗେ ପତ୍ନୀଙ୍କୁ ଧରି ଘରକୁ ଫେରୁଥିଲେ । ମହିଳା ଆମ୍ବୁଲାନ୍ସରେ ଫେରୁଥିବା ସମୟରେ ଏକ ବଡ଼ ଖାଲରେ ପଡ଼ି ଝଟକା ଖାଇବା ପରେ ଆଶ୍ଚର୍ଯ୍ୟଜନକ ଭାବେ ପୁଣି ବଞ୍ଚି ଉଠିଛନ୍ତି । ଆଉ ସେ ଆମ୍ବୁଲାନ୍ସକୁ ବୁଲାଇ ପିଲିଭିତ ସ୍ଥିତ ନ୍ୟୁରୋସିଟି ହସ୍ପିଟାଲକୁ ନେଇ ବିନୀତାଙ୍କୁ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

