ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ବାଲି ଚୋରା ଚାଲାଣ। ଏଥିରେ ଲାଗିପାରୁନି ଅଙ୍କୁଶ। ବେଆଇନ ବାଲିଘାଟକୁ ନେଇ ଅପରାଧୀମାନେ ରକ୍ତମୁଖା ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ବାଲିଘାଟ ଜଗିବା ଦାୟିତ୍ବ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସଏଫ୍)କୁ ପ୍ରଦାନ କରାଯିବ। ଏଥିପାଇଁ ଖଣି ବିଭାଗ ପକ୍ଷରୁ ଗୃହ ବିଭାଗକୁ ଅନୁରୋଧ କରାଯାଇଛି। ଗୁରୁବାର ବିଧାନସଭାରେ ଏକ ଲିଖିତ ଉତ୍ତରରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏପରି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଜିଲ୍ଲାସ୍ତରରେ ଖଣି ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ ସୁରକ୍ଷା ବଳ ଯୋଗାଇ ଦେବା ପାଇଁ ବିଭାଗ ଯୋଜନା କରିଛି। ଏଥିପାଇଁ ୫୭ ସେକ୍ସନ ଓଆଇଏସ୍ଏଫ୍ ନିୟୋଜନ କରିବା ପାଇଁ ଗୃହ ବିଭାଗକୁ ଅନୁରୋଧ କରାଯାଇଛି। ସେହିପରି ଓଏମ୍ଏମ୍ସି-୨୦୧୬ ନିୟମକୁ ସଂଶୋଧନ କରି ଖଣି ବିଭାଗର ଅଧିକାରୀଙ୍କ ବ୍ୟତୀତ ଅତିରିକ୍ତ ତହସିଲଦାର, ପୋଲିସ ସବ୍ଇନ୍ସପେକ୍ଟର ଓ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଚଢ଼ଉ ଓ ବେଆଇନ ଖଣିଜ ଜବତ କରିବା ପାଇଁ କ୍ଷମତା ଦେବାକୁ ପଦକ୍ଷେପ ନିଆଯାଇଛି।

