୮

ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର । ବରିମୁଣ୍ଡ ବାଲିଯାତ୍ରା ପଡ଼ିଆ ନିକଟରୁ ମିଳିଲା ସନ୍ଦେହଜନକ ମୃତଦେହ । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତକର ପରିଚୟ ମିଳିନଥିବା ବେଳେ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ମଞ୍ଚେଶ୍ବର ଥାନା ପୋଲିସ । ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ପାଣିରେ ଭାସୁଥିବା ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ ।

ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଓ ଅଗ୍ନିଶମ ବାହୀନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନଦୀରୁ ଉଦ୍ଧାର କରିଛନ୍ତି । ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଯୁବକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ଶରୀରରେ କ୍ଷତଚିହ୍ନ ଜଣା ପଡ଼ୁଥିବା ବେଳେ ଏହା ହତ୍ୟା ନା ଆଉ କିଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

ଗତକାଲିର ସୂଚନାନୁଯାୟୀ, ଦେବଗଡ଼ରେ ଟ୍ରିପଲ ମର୍ଡର । ପାରିବାରିକ କଳହର ଉଗ୍ର ରୂପ । ସ୍ତ୍ରୀ-ବୋହୂ ଓ ନାତୁଣୀକୁ ହତ୍ୟା । ହାତୁଡ଼ିରେ ପିଟି ପିଟି ମାରିଦେଲା ଅଭିଯୁକ୍ତ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ପରିବାରର ତିନିଜଣଙ୍କୁ ମର୍ଡର । ଗାଁର ରମେଶ ଗରିଆଙ୍କ ଦୁଇପୁଅ ପେଷାରେ ଡ୍ରାଇଭର ହୋଇଥିବା ବେଳେ ସେମାନେ ପ୍ରାୟତଃ ବାହାରେ ରହୁଥିଲେ। ବୁଧବାର ସନ୍ଧ୍ୟାରେ ଗାଁରେ ଠାକୁର ବିଜେ ଶୋଭାଯାତ୍ରା ସାରି ଅଭିଯୁକ୍ତ ରମେଶ ଘରକୁ ଫେରିବା ପରେ ଖାଇପିଇ ଘର ବାରଣ୍ଡାରେ ଶୋଇଥିଲା । ରାତିରେ ସେ ଉତକ୍ଷିପ୍ତ ହୋଇ ପତ୍ନୀ କୁହ୍ଲ, ବୋହୂ ଲିପି ଓ ଚାରିବର୍ଷର ନାତୁଣୀ ଗାୟତ୍ରୀକୁ ହାତୁଡ଼ିରେ ପିଟି ପଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଝିଆରୀ ପାୟଲ ଝରକା ବାଟେ ଡେଇଁ ପଳାଇ ଯିବାରୁ ଆକ୍ରମଣରୁ ବର୍ତ୍ତି ଯାଇଥିଲା ।

ଅଭିଯୁକ୍ତ ରମେଶ ଗରିଆ ପରିବାରରେ ବିଭିନ୍ନ ସମୟରେ କଳି ଝଗଡ଼ା ଲାଗି ରହୁଥିଲା । ତେଣୁ ପାରିବାରିକ କଳହରୁ ଏହି ଲୋମହର୍ଷକ ଘଟଣା ଘଟିଥିବା କୁହାଯାଉଛି । ଅଭିଯୁକ୍ତର ଦୁଇ ପୁଅ ଧୀରେନ ଓ ଭୁବନ ଘଟଣାସ୍ଥଳରେ ପହଞ୍ଚିଥିବା ବେଳକୁ ସେମାନଙ୍କ ସୁନାର ସଂସାର ଛାରଖାର ହୋଇଯାଇଥିଲା । କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଦେବଗଡ଼ ଏସପି ଅନୀଲ କୁମାର ମିଶ୍ର, ଏସଡିପିଓ ରମେଶ କୁମାର ମହାନା ସରଜମିନ ଅନୁଧ୍ୟାନ କରିଛନ୍ତି । ପୋଲିସ ଘଟଣାସ୍ଥଳରୁ ହାତୁଡ଼ି ଜବତ କରିଛି । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଧରାପଡ଼ିବା ପରେ ସମସ୍ତ କଥା ପଦାକୁ ଆସିବ ।

ଅନ୍ୟପଟେ ଟ୍ରିପଲ ମର୍ଡର ଘଟଣା ନେଇ ଗରିଆପାଲି ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସାଇଣ୍ଟିଫିକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି ।

Share