ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଚାକିରି ଦେବା ଠକ। ବିଦେଶରେ ଚାକିରି ଦେବା ନାମରେ ଠକେଇ କରି ନେଉଛନ୍ତି ଟଙ୍କା । ଏଭଳି ଜଣେ ଠକାମୀ ଶିକାର ହେବା ଅଭିଯୋଗ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ। ବିଦେଶ ରେ ଚାକିରୀ ଦେବା ନାମରେ ଦେଢ଼ ଲକ୍ଷ୍ୟ ଟଙ୍କା ଠକିବା ସହିତ ନକଲି ଅଫର ଲେର୍ଟର ଦେଇଥିଲା ଅଭିଯୁକ୍ତ।
ଅଭିଯୁକ୍ତ ବିଦେଶରେ ଚାକିରି ଦେବା ନାମରେ ଲୋକଙ୍କୁ ଠକୁଥିବା ଏକ ରାକେଟରେ ସମ୍ପୃକ୍ତ ଥିବା ଜଣାପଡିଛି । ଗତ ୦୩.୧୧.୨୦୨୫ ରାତିରେ ବାଣପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ଭଗବାନ ପ୍ରଧାନଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଅନୁସାରେ ଅଶୋକ କୁମାର ପରିଡା ଓ ତାଙ୍କ ସହଯୋଗୀ ରତିକାନ୍ତ ମିଶି ଅଭିଯୋଗକାରୀଙ୍କ ପୁଅ ବିଭୂତି ଭୂଷଣ ପ୍ରଧାନଙ୍କୁ ଅଷ୍ଟ୍ରେଲିଆରେ ଯାନ୍ତ୍ରିକ ଚାକିରି ଯୋଗାଇଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରଲୋଭନ ଦେଇଥିଲେ।
ଏହି କଥାରେ ବିଶ୍ୱାସ କରି ଅଭିଯୋଗକାରୀ ଅଭିଯୁକ୍ତଙ୍କ ଆଇଡିବିଆଇ ବ୍ୟାଙ୍କ ଖାତାକୁ ୧ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । କିନ୍ତୁ ପରେ ଅଭିଯୁକ୍ତ ଏକ ଜାଲ ଅଫର ଲେଟର ଦେଇ ଯୋଗାଯୋଗ ବନ୍ଦ କରିଦେଇଥିଲେ ଓ ଟଙ୍କା ଫେରସ୍ତ ମଧ୍ୟ କରିନଥିଲେ। ତଦନ୍ତ ସମୟରେ ପୋଲିସ ପ୍ରାସଙ୍ଗିକ କାଗଜପତ୍ର ଜବତ କରିଥିବା ପରେ ଚଢ଼ାଉ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହିତ ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଆଉ ଦୁଇଟି ମାମଲା ଥିବା ତଦନ୍ତରୁ ଜଣାପଡିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟକୁ ଚାଲାଣ କରାଯାଇଛି।

