ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓଡ଼ିଶାର ୨୫ ଜଣ ବରପୁତ୍ରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ଅଥଚ ଏ ତାଲିକାରେ କବି ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଗାଁ ନନ୍ଦଳା ଗ୍ରାମ ନାହିଁ । ସରକାରଙ୍କ ଏହି ବୈମାତୃକ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ।
ଏକ ପ୍ରେସ ବିବୃତ୍ତିରେ ବିଜୁ ଜନତା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ନନ୍ଦଳା ଗ୍ରାମ ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟର ଅନ୍ୟତମ ଏନ୍ତୁଡ଼ିଶାଳ । ନିଜ କବିତା ମାଧ୍ୟମରେ ଡ. ମାନସିଂହଙ୍କ ପ୍ରେମ, ଜୀବନବାଦ ଓ ସୌନ୍ଦର୍ଯ୍ୟର ଯେଉଁ ନୂଆ ସୃଜନ କୋଣାର୍କ ଗଢ଼ିଛନ୍ତି ତାହାର ମୂକସାକ୍ଷୀ ନନ୍ଦଳା ଏକ ଆଧୁନିକ ତୀର୍ଥକ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନାହିଁ ।

