କଟକ : ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ଯଦି ସ୍ବାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏପରି ନିର୍ଣ୍ଣୟରେ କୌଣସି ବାଧା ନାହିଁ । ଏପରି ଝିଅଙ୍କୁ ଶ୍ଵଶୁରଘର ବା ବାପା-ମା’ଙ୍କ ପାଖରେ ରହିବାକୁ ବାଧ୍ୟ କରିବା ଭଳି ଆଇନରେ ବ୍ୟବସ୍ଥା ନାହିଁ ବୋଲି ହାଇକୋର୍ଟ କହିବା ସହ ଝିଅକୁ ଖୋଜି ବାହାର ସହିତ ବାଧ୍ୟ କରିବାକୁ ମା’ଙ୍କ ତରଫରୁ ଦାୟର ହେବିୟସ କର୍ପସ ପିଟିସନ୍କୁ ଖାରଜ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ରାୟରେ ଉଲ୍ଲେଖ ରହିଛି ଯେ ନିଜ ଜୀବନ ସଂକ୍ରାନ୍ତରେ ପ୍ରାପ୍ତବୟସ୍କ ଯୁବତୀ ନିଷ୍ପତ୍ତ ନେଇପାରିବେ । ଯଦି ଜଣେ ପ୍ରାପ୍ତବୟସ୍କ ମହିଳା ଯଦି ସ୍ବାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏପରି ନିର୍ଣ୍ଣୟରେ କୌଣସି ବାଧା ନାହିଁ । ଆବେଦନ ଅନୁଯାୟୀ, ଆବେଦନାକାରୀଙ୍କ ବିବାହିତା ଝିଅ ନିଜ ଇଚ୍ଛାରେ ଶ୍ବଶୁରଘର ଛାଡ଼ି ଚାଲିଯିବା ସହିତ ଏକ ଦୂର ସ୍ଥାନରେ ରହିଛନ୍ତି । ତାଙ୍କ ବୈବାହିକ ବିବାଦ ମାମଲା ସିଭିଲ କୋର୍ଟରେ ବିଚାରାଧୀନ ରହିଛି।
୨୦୨୪ରେ ଝିଅ ଜଣକ ଥାନାରେ ହାଜର ହୋଇ ନିଜ ଶ୍ବଶୁର ଘର ଓ ବାପା-ମା’ଙ୍କ ନିକଟରେ ରହିବାକୁ ଆଗ୍ରହୀ ନଥିବା କହିଥିଲେ । ସେ ଏକାକୀ ରହୁଛନ୍ତି ଓ ସ୍ବାବଲମ୍ବୀ ବୋଲି ପୋଲିସକୁ ଜଣାଇଥିଲେ । ଏହା ସତ୍ତ୍ବେ ଏକ ବର୍ଷରୁ ଅଧିକ ସମୟ ହେବ ପରିବାର ସଦସ୍ୟ ଯୁବତୀଙ୍କ ଖୋଜ ଖବର ପାଉ ନଥିବା ଓ ତାଙ୍କ ସ୍ଥିତି ନେଇ ଚିନ୍ତିତ ଥିବା ଦର୍ଶାଇ ତାଙ୍କ ମାଆ ହେବିୟସ କର୍ପସ ପିଟିସନ ଦାଖଲ କରିଥିଲେ ।
ଏହି ମାମଲାରେ ଯୁବତୀ ଜଣକ ବେଆଇନ ଭାବେ ଅଟକ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି । ପ୍ରାପ୍ତ ବୟସ୍କ ହେବାପରେ ସେ ସ୍ବାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଏଣୁ ଖୋଜି ବାହାର କରିବାକୁ ବା ଏସଂପର୍କିତ ତଥ୍ୟ ପ୍ରମାଣ ପାଇବାକୁ ହେବିୟସ କର୍ପସ ପିଟିସନକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ହାଇକୋର୍ଟ ମାମଲା ଖାରଜ କରିଛନ୍ତି ।

