ନୂଆଦିଲ୍ଲୀ : ଇରାନ ଆକ୍ରମଣରେ ଭାରତୀୟ ମୃତ । ଇରାନର ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ଇଞ୍ଜିନିୟର ମୃତ୍ୟୁ ହୋଇଛି । ପଶ୍ଚିମ ଏସିଆରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଇରାକର ବାସରା ବନ୍ଦର ନିକଟରେ ଏକ ବଡ଼ ଆକ୍ରମଣ ହୋଇଛି ।
ସୂଚନାନୁଯାୟୀ, ଇରାନର ଏକ ବିସ୍ଫୋରକ ବୋଝେଇ ଡ୍ରୋନ୍ ଆକ୍ରମଣରେ ଜଣେ ୫୪ ବର୍ଷୀୟ ଭାରତୀୟ ମେରାଇନ୍ ଇଞ୍ଜିନିୟର ଦେଓନନ୍ଦନ ପ୍ରସାଦ ସିଂହଙ୍କର ମୃତ୍ୟୁ ହୋଇଛି । ସେ ମୁମ୍ବାଇର କାନ୍ଦିଭଲି ଅଞ୍ଚଳର ବାସିନ୍ଦା । ଗତ ୧୧ ତାରିଖ ରାତିରେ ଆମେରିକା ମାଲିକାନାରେ ଥିବା ତୈଳବାହୀ ଜାହାଜ ‘MT Safesea Vishnu’ ଉପରେ ଆକ୍ରମଣ ହୋଇଥିଲା । ଏକ ମାନବବିହୀନ ଡ୍ରୋନ୍ ଜାହାଜରେ ପିଟି ହେବା ଫଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା । ଜାହାଜରେ ଥିବା ଅନ୍ୟ ୧୫ ଜଣ ଭାରତୀୟ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଅନ୍ୟପଟେ ଇରାକର ତଟରକ୍ଷୀ ବାହିନୀ ସେମାନଙ୍କୁ ବାସରା ସହରକୁ ନେଇଯାଇଛନ୍ତି । ଆମେରିକା ଏବଂ ଇସ୍ରାଏଲ୍ ସହ ଚାଲିଥିବା ସଂଘର୍ଷର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ କରାଯାଇଥିବା ଇରାନ ଦାବି କରିଛି । ମୃତ ଦେଓନନ୍ଦନ ଗତ ୭ ବର୍ଷ ଧରି ଡ୍ୟୁଟିରେ ନଥିଲେ । କିନ୍ତୁ କମ୍ପାନୀର ଚାପରେ ମାତ୍ର ଦୁଇ ସପ୍ତାହ ପୂର୍ବରୁ କାମକୁ ଫେରିଥିଲେ । ମୃତ୍ୟୁ ପୂର୍ବରୁ ସେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରି ଜାହାଜ ଉପରେ ଆକ୍ରମଣ ହୋଇଥିବା କହିଥିଲେ ।

