Sonam m

ନୂଆଦିଲ୍ଲୀ: ୱାଙ୍ଗଚୁକଙ୍କ ଉପରୁ NSA ହଟିଲା । ମୁକ୍ତ ହେବେ ଲଦାଖ ଆନ୍ଦୋଳନକାରୀ ସୋନମ ୱାଙ୍ଗଚୁକ । କେନ୍ଦ୍ର ସରକାର ହଟାଇଲେ NSA କଟକଣା । ୧୭୦ ଦିନ ପରେ ଜେଲରୁ ବାହାରିବେ ସୋନମ ୱାଙ୍ଗଚୁକ। ଲଦାଖର ଜଣାଶୁଣା ପରିବେଶବିତ୍ ଏବଂ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଉପରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ସୁରକ୍ଷା ଆଇନ ହଟାଇ ଦେଇଛନ୍ତି । ସରକାର ଏହି ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଲଦାଖକୁ ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ଚାଲିଥିବା ଆନ୍ଦୋଳନ ପରେ, ୨୦୨୫ ସେପ୍ଟେମ୍ବର ୨୬ରେ ତାଙ୍କୁ ଗିରଫ କରାଯାଇଥିଲା ।  ପ୍ରାୟ ୧୭୦ ଦିନ ସେ ଯୋଧପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିଲେ ।  ଲଦାଖରେ ଶାନ୍ତି ଫେରାଇ ଆଣିବା ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ୱାଙ୍ଗଚୁକ ପୂର୍ବରୁ ହିଁ ନିଜ ଦଣ୍ଡାଦେଶର ଅଧାରୁ ଅଧିକ ସମୟ ଜେଲରେ କାଟିସାରିଛନ୍ତି ବୋଲି ଗୃହ ମନ୍ତ୍ରଣାଳୟ କହିଛି ।

ଆସନ୍ତା ମାର୍ଚ୍ଚ ୧୭ ତାରିଖରେ ସୁପ୍ରିମକୋର୍ଟରେ ୱାଙ୍ଗଚୁକଙ୍କ ପତ୍ନୀଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନର ଶୁଣାଣି ହେବାର ଥିଲା ।  କିନ୍ତୁ କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ କେନ୍ଦ୍ର ସରକାର ନିଜ ଆଡୁ ତାଙ୍କୁ ମୁକ୍ତ କରିବାକୁ ଘୋଷଣା କରିଛନ୍ତି। ସୋନମ ୱାଙ୍ଗଚୁକଙ୍କ ମୁକ୍ତି ଖବରକୁ ତାଙ୍କ ସମର୍ଥକ ଏବଂ ଲଦାଖବାସୀ ସ୍ୱାଗତ କରିଛନ୍ତି । ଏହାଦ୍ୱାରା କେନ୍ଦ୍ର ସରକାର ଏବଂ ଲଦାଖର ଆନ୍ଦୋଳନକାରୀଙ୍କ ମଧ୍ୟରେ ପୁଣିଥରେ ଆଲୋଚନା ଆରମ୍ଭ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Share