ନୂଆଦିଲ୍ଲୀ : ହାଇୱେରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ଆସନ୍ତା ଏପ୍ରିଲ ୧ ତାରିଖରୁ ଜାତୀୟ ରାଜପଥ ଦେଇ ଯାତ୍ରା କରିବା ଆହୁରି ମହଙ୍ଗା ହେବାକୁ ଯାଉଛି । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ବାର୍ଷିକ ଟୋଲ୍ ପାସ୍ ଏବଂ ଟୋଲ୍ ଟିକସରେ ସଂଶୋଧନ କରାଯାଉଛି । NHAI ବାର୍ଷିକ ପାସ୍ ଫି ୩,୦୦୦ ଟଙ୍କାରୁ ୩,୦୭୫ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏହି ନୂତନ ହାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଯୁଜ୍ୟ ହେବ ।
ତେବେ ଏହି ପାସ୍ ବ୍ୟକ୍ତିଗତ ବାହନ ପାଇଁ ହୋଇଥାଏ ଯେଉଁଥିରେ ବୈଧ କିମ୍ବା କାର୍ଯ୍ୟକ୍ଷମ FASTag ଲାଗିଥାଏ । ବର୍ତ୍ତମାନ ବ୍ୟକ୍ତିଗତ ଗାଡ଼ି ପାଇଁ ଉଦ୍ଦିଷ୍ଟ FASTag Annual Pass ର ମୂଲ୍ୟ ୩,୦୦୦ ଟଙ୍କା ରହିଛି । କିନ୍ତୁ ଏପ୍ରିଲ ୧ ରୁ ଏହାର ମୂଲ୍ୟ ୨.୫% ବୃଦ୍ଧି ପାଇ ୩,୦୭୫ ଟଙ୍କା ହେବ ।
ନୂଆ ନିୟମ ଅନୁସାରେ ୩୦୭୫ ଟଙ୍କାର ଏହି ପାସ୍ ଗୋଟିଏ ବର୍ଷ କିମ୍ବା ୨୦୦ ଥର ଟୋଲ୍ କ୍ରସିଂ କରିବା ପରେ ବୈଧ ହେବ । ଏ ଭିତରୁ ଯାହା ପ୍ରଥମେ ପୂରା ହେବ ତାହା ହିଁ ଲାଗୁ ହେବ । ଯାହାର ଅର୍ଥ ହେଉଛି ଯଦି ଆପଣ ୨୦୦ ଥର ଟୋଲ୍ କ୍ରସିଂ ପାର କରନ୍ତି ତେବେ ପାସର ସମୟସୀମା ଶେଷ ହୋଇଯିବ । ଯଦିଓ ଗୋଟିଏ ବର୍ଷ ଅବଧି ଅତିକ୍ରମ ହୋଇନାହିଁ ତଥାପି ଏହା ଅବୈଧ ହୋଇଯିବ ।
ତେବେ ପ୍ରତିବର୍ଷ ଏପ୍ରିଲ ୧ ତାରିଖରୁ NHAI ଟୋଲ୍ ରେଟ୍ ପରିବର୍ତ୍ତନ କରିଥାଏ । ଏହା ମୁଖ୍ୟତଃ (WPI) ବା ହୋଲସେଲ୍ ମୁଦ୍ରାସ୍ଫୀତି ଉପରେ ଆଧାରିତ । ସାଧାରଣତଃ ଏହି ବୃଦ୍ଧି ୩% ରୁ ୫% ମଧ୍ୟରେ ରହିଥାଏ ଯାହା ରାସ୍ତା ରକ୍ଷଣାବେକ୍ଷଣ ଏବଂ ନୂତନ ପ୍ରକଳ୍ପ ପାଇଁ ବ୍ୟବହୃତ ହୁଏ । ତେବେ ସରକାର ଏପ୍ରିଲ ପହିଲାରୁ ଟୋଲ୍ ପ୍ଲାଜାରେ ନଗଦ ଟଙ୍କା ଦେଣନେଣ ବନ୍ଦ କରିବାକୁ ଯୋଜନା କରୁଛନ୍ତି । ଏବେ କେବଳ FASTag ଏବଂ UPI ମାଧ୍ୟମରେ ପେମେଣ୍ଟ କରାଯିବ ।

