ଭୁବନେଶ୍ୱର : ଆଗାମୀ ୫ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖୀର ପ୍ରଭାବ । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୦ ତାରିଖରେ ରାଜ୍ୟର ୨୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେଉଁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବା ନେଇ ଆକଳନ କରାଯାଇଛି ।
ଏଥିପାଇଁ ଏହି ସବୁ ଜିଲ୍ଲା ଗୁଡିକକୁ ଅରେଞ୍ଜ ୱର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୨୧ ତାରିଖରେ ମୟୂରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ ୫୦ ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବା ନେଇ ଅରେଞ୍ଜ ୱର୍ଣିଙ୍ଗ ଜାରି କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୯ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିଛି ।

