Scooty

ରାୟଗଡା : ରାୟଗଡା ସହରରେ ପୁଣି ପୁଲିସର ଚିନ୍ତା ବଢାଇଲେ ଲୁଟେରା ଗ୍ଯାଙ୍ଗ୍ ।  ସହରର ସ୍ବାଗତ ଲେନ୍ ର ଏକ ହୋଟେଲ୍ ରେ ଖାଉଥିବା ବେଳେ ସୁନା ବ୍ଯବସାୟୀ ସନ୍ତୋଷ ମହାପାତ୍ରଙ୍କ ସ୍କୁଟି ଡିକି ଭାଙ୍ଗି ପ୍ରାୟ ୧୦ ଭରି ସୁନା ଅଳଙ୍କାର ଲୁଟ୍ ହୋଇଛି ।  ଆଜି ମଧ୍ଯହ୍ନରେ ବ୍ଯବସାୟୀ ସନ୍ତୋଷ ସ୍କୁଟିରେ ସୁନା ରଖି ଖାଇବାକୁ ଯାଇଥିଲେ ।  ଉକ୍ତ ସମୟରେ ଦୁଇ ଜଣ ଦୁର୍ବୃତ୍ତ ହୋଟେଲ ପରିସରକୁ ଆସି ସ୍କୁଟିର ଡିକି ଭାଙ୍ଗି ପ୍ରାୟ 16 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ ।

ଏନେଇ ସଂପୃକ୍ତ ବ୍ଯବସାୟୀ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ହୋଟେଲ ବାହାରେ ଲାଗିଥିବା ସିସିଟିଭିକୁ ତନ୍ନତନ୍ନ  କରି ଯାଞ୍ଚ୍ କରିଛି ପୁଲିସ ।  ବ୍ଯବସାୟୀ ସନ୍ତୋଷ ମହାପାତ୍ରଙ୍କ ଘର ଚିନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଅଞ୍ଚଳରେ ହୋଇଥିବା ବେଳେ ସେ ରାୟଗଡା ସହରରେ ଥିବା ସୁନା ଦୋକାନୀଙ୍କ ଠାରୁ ବକେୟାରେ ସୁନା ଆଣି ବିକ୍ରି କରିଥାନ୍ତି ।   ତେବେ ରାୟଗଡା ସହରରେ ବାରମ୍ବାର ଲୁଟ୍ ଘଟଣା ନଜରକୁ ଆସୁଥିବା ବେଳେ ପେଟ୍ରୋଲିଂ ବ୍ଯବସ୍ଥାକୁ ଅଧିକ କଡାକଡି କରିବା ପାଇଁ ସାଧାରଣରେ ଦାବି ହେଉଛି।

Share