ସୁନ୍ଦରଗଡ଼ : ଦେଶୀ ମଦଭାଟି ବନ୍ଦ ଦାବିରେ ଆନ୍ଦୋଳନ। ବର୍ଷାରେ ସାରା ରାତି ଧାରଣାରେ ବସିଲେ ଆନ୍ଦୋଳନକାରୀ। ଜିଲ୍ଲାପାଳ ଆସି କଥା ହେଲେ ବି ଜିଦରେ ଅଟଳ ଗ୍ରାମବାସୀ । ମଦଭାଟି ବନ୍ଦ ନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲିଠୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ଶତାଧିକ ମହିଳା ଓ ପୁରୁଷ । ହେମଗିର ବ୍ଲକ ଲଇକେରାରେ ଦେଶୀ ମଦଭାଟି ବନ୍ଦ କରିବା ଦାବିରେ ଧାରଣା ଦିଆଯାଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ ।
ସୂଚନାଯୋଗ୍ୟ, ମଦ ନେଉଛି ଜୀବନ, ଚୁପ ବସିଛି ଅବକାରୀ ବିଭାଗ । ୨ମାସରେ ମଦ ନେଲାଣି ୬ ଜୀବନ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଅଁରା ଗାଁରେ ମଦ ମୃତ୍ୟୁ ଦେଖିବାକୁ ମିଳିଛି। ଗାଁର ପାନ ଦୋକାନ ଠାରୁ ଆରମ୍ଭ କରି ଗ୍ରୋସରୀ ଦୋକାନ ପର୍ଯ୍ୟନ୍ତ ସବୁଠି ମିଳୁଛି ଚୋରା ଦେଶୀ ମଦ । ଏଠାରୁ ଦେଶୀ ମଦ ପିଇ ଗତ ୨ ମାସ ଭିତରେ ୬ ଜଣଙ୍କ ଜୀବନ ଗଲାଣି । ଯାହାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅକାଳରେ ଅନେକଙ୍କ ଜୀବନ ଚାଲି ଯାଉଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖୁନି। ଅନ୍ୟପଟେ ଅବକାରୀ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଗାଁର ମହିଳା ମଦ ବିକ୍ରିକୁ ବିରୋଧ କରୁଥିବା ବେଳେ ଅବକାରୀ ବିଭାଗର ନୀରବତା ଗାଁରେ ମଦ ବିକ୍ରିକୁ ବଢ଼ାଇବାରେ ଲାଗିଛି । ଗାଁରେ ମଦ ବିକ୍ରିକୁ ବନ୍ଦ କରିବାକୁ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ଗାଁର ମହିଳା । ଏସବୁରେ ରୋକ ଲଗାଇବାକୁ ମହିଳାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।

