Flight c

ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ୬୦% ସିଟ୍ ମିଳିବ ମାଗଣା । ସିଟ୍ ପାଇଁ ଦେବାକୁ ପଡ଼ିବନି ଅଲଗା ଟଙ୍କା। ପରିବାର ସହ ବସିବା ହେଲା ସହଜ । ଗୋଟିଏ ଟିକେଟ୍ ରେ ଥିବା ସବୁ ଯାତ୍ରୀ ପାଖାପାଖି ସିଟ୍ ପାଇବେ । ପୋଷା ପ୍ରାଣୀ ଏବଂ ବାଦ୍ୟଯନ୍ତ୍ର ନେବା ପାଇଁ ମଧ୍ୟ ନିୟମ ହେଲା ସହଜ । ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ DGCA ପକ୍ଷରୁ ବିମାନ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯାତ୍ରୀମାନଙ୍କୁ ଶୋଷଣରୁ ରକ୍ଷା କରିବା ଏବଂ ସେମାନଙ୍କ ଯାତ୍ରାକୁ ଅଧିକ ଆରାମଦାୟକ କରିବା ଏହି ନିୟମର ମୁଖ୍ୟ ଲକ୍ଷ୍ୟ ।

ଯେକୌଣସି ବିମାନରେ ଅତି କମରେ ୬୦ ପ୍ରତିଶତ ସିଟ୍ ଯାତ୍ରୀମାନଙ୍କୁ ମାଗଣାରେ ବାଛିବା ପାଇଁ ସୁବିଧା ଦିଆଯିବ । ପୂର୍ବରୁ ଅଧିକାଂଶ ଭଲ ସିଟ୍ ପାଇଁ ଏୟାରଲାଇନ୍ସ କମ୍ପାନୀମାନେ ଅଧିକ ଟଙ୍କା ନେଉଥିଲେ । ଯଦି ଆପଣ ଗୋଟିଏ PNR (ଏକା ସାଙ୍ଗରେ ଟିକେଟ୍) ରେ ଯାତ୍ରା କରୁଛନ୍ତି, ତେବେ ଏୟାରଲାଇନ୍ସ ଆପଣଙ୍କୁ ପାଖାପାଖି ସିଟ୍ ଦେବାକୁ ଚେଷ୍ଟା କରିବେ । ଏଥିପାଇଁ ଆଉ ଅଲଗା ହୋଇ ବସିବାକୁ ପଡ଼ିବ ନାହିଁ । ଯଦି ଆପଣ ନିଜ ସାଙ୍ଗରେ ବାଦ୍ୟଯନ୍ତ୍ର , ଖେଳ ସାମଗ୍ରୀ କିମ୍ବା ପୋଷା ପ୍ରାଣୀ ନେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ କମ୍ପାନୀମାନଙ୍କୁ ସ୍ପଷ୍ଟ ଏବଂ ସହଜ ନିୟମ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଯଦି ବିମାନ ବିଳମ୍ବ ହୁଏ ବାତିଲ୍ ହୁଏ କିମ୍ବା ଆପଣଙ୍କୁ ବୋର୍ଡିଂ ପାଇଁ ମନା କରାଯାଏ ତେବେ ଯାତ୍ରୀଙ୍କ ଅଧିକାରକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କମ୍ପାନୀଗୁଡ଼ିକୁ ସେମାନଙ୍କ ୱେବସାଇଟ୍ ଏବଂ ଏୟାରପୋର୍ଟ କାଉଣ୍ଟରରେ ଯାତ୍ରୀଙ୍କ ଅଧିକାର ବିଷୟରେ ସୂଚନା ଦେବାକୁ ପଡ଼ିବ । ସବୁ ଯାତ୍ରୀ ଯେପରି ସହଜରେ ବୁଝିପାରିବେ, ସେଥିପାଇଁ ଏହି ସବୁ ସୁବିଧା ଏବଂ ନିୟମ ବିଷୟରେ ଓଡ଼ିଆ ଭଳି ଆଞ୍ଚଳିକ ଭାଷାରେ ମଧ୍ୟ ସୂଚନା ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବିମାନ ଯାତ୍ରୀଙ୍କ ଅଭିଯୋଗ କମିବ ଏବଂ ସେମାନେ ସ୍ୱଚ୍ଛ ସେବା ପାଇପାରିବେ ।

Share