ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୪୦ ପ୍ରତିଶତ ବଢ଼ି ୧୦୦ ଡଲାର ପାଖାପାଖି ରହିଛି। ଯୁଦ୍ଧ ପାଇଁ ଉତ୍ତେଜନା ଜାରି ରହିଥିବାରୁ ଉଭୟ ତେଲ ଓ ଟଙ୍କା ମୂଲ୍ୟ ଉପରେ ଚାପ ରହିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଭାରତୀୟ ଟଙ୍କା ଦୁର୍ବଳ ହେଉଥିବାରୁ କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ, ଆମଦାନିକାରୀ, ବିଦେଶ ଭ୍ରମଣରେ ଯିବାକୁ ଚାହୁଥିବା ଓ ବିଦେଶରେ ପିଲାଙ୍କୁ ପାଠପଢ଼ାଉଥିବା ଲୋକମାନଙ୍କ ଚିନ୍ତା ବଢ଼ିଯାଇଛି।
ଏହା ଦେଶର ଦରଦାମ୍ ସ୍ଥିତି ବିଗାଡ଼ିବାର କ୍ଷମତା ରଖିଛି। ମଧ୍ୟପ୍ରାଚ୍ୟ ସଙ୍କଟ ପ୍ରଭାବରୁ ସେଠାରେ କାମ କରୁଥିବା ଲୋକମାନେ ସ୍ବଦେଶକୁ ପଠାଉଥିବା ପାଣ୍ଠି (ରେମିଟାନ୍ସ) ହ୍ରାସ ପାଇବା ଆଶଙ୍କା ମଧ୍ୟ ଦେଖାଦେଇଛି। ଶକ୍ତିଶାଳୀ ଡଲାରରୁ କେବଳ ରପ୍ତାନିକାରୀ ଓ ସୂଚନା ପ୍ରଯୁକ୍ତି କମ୍ପାନିଗୁଡ଼ିକ ଉପକୃତ ହେବେ। କିନ୍ତୁ, ଦେଶର ସମଗ୍ର ଅର୍ଥନୀତି ଏହାଦ୍ବାରା କ୍ଷତିଗ୍ରସ୍ତ ହେବ।

