Whatsapp image 2026 03 19 21 39 31

ଭୁବନେଶ୍ବର: ଆସନ୍ତା ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ରାଜ୍ୟରେ ସମ୍ଭାବ୍ୟ ହିଟ୍ ୱେଭ୍ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରିବା ସହ ମାନବଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେl ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମଡେଲ୍ କୁଲିଂ ସେଲଟର୍ ବ୍ୟବସ୍ଥା କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିଶୁମାନଙ୍କ ପାଇଁ ଏବଂ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଗୁରୁତ୍ଵାରୋପ କରିଥିଲେl ଏଥିସହିତ ହିଟ୍ ୱେଭ୍ ପ୍ରସଙ୍ଗର ଗୁରୁତ୍ଵ ଉପଲବ୍ଧି କରି ରାଜସ୍ୱ ମନ୍ତ୍ରୀ ଜନସାଧାରଣଙ୍କ ସୁରକ୍ଷା ଏବଂ ତ୍ଵରିତ ସମସ୍ୟା ସମାଧାନ ପାଇଁ ନିଜନିଜ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେl ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଗୁରୁତ୍ୱାରୋପ କରିବା ସହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପ୍ରଶାସନକୁ ସହଯୋଗ ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ l ସ୍ଵତନ୍ତ୍ର ସାହାଯ୍ୟ ଆୟୁକ୍ତ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଗ୍ରୀଷ୍ମ ପ୍ରବାହ ସହ ସମ୍ଭାବ୍ୟ କାଳବୈଶାଖୀର ମୁକାବିଲା କରିବା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଥିଲେl
ବୈଠକରେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଶ୍ରମିକ ତଥା ଅନ୍ୟ ଶାରୀରିକ କାର୍ଯ୍ୟରେ ନିୟୋଜିତ ରହୁଥିବା ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଅର୍ଥାତ୍ ଦିନ ୧୧ରୁ ୩ ଘଟିକା ଯାଏ କୌଣସି ବି ନିର୍ମାଣ ଆଦି ଶାରୀରିକ କାର୍ଯ୍ୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲାl ଏଥିରେ ଖିଲାପ କରି ଶ୍ରମିକ ବା ସାଧାରଣ ଲୋକଙ୍କୁ କାମରେ ଲଗାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ବିଦ୍ୟାଳୟ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସର୍ବସାଧାରଣ ଅନୁଷ୍ଠାନ ଏବଂ ସ୍ଥାନମାନଙ୍କରେ ଆବଶ୍ୟକ ଅନୁଯାଇ ଜଳଛତ୍ର, ପାନୀୟ ଜଳ, ଫାଷ୍ଟ୍ – ଏଡ୍ ବକ୍ସ୍, ଓଆରଏସ୍ ପାଉଡର୍, ଶୀତଳ କକ୍ଷ ଆଦିର ବ୍ୟବସ୍ଥା ନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଥିଲା l ବିଦ୍ୟାଳୟରେ ଶିଶୁମାନଙ୍କ ପାଇଁ ନିୟମିତ ବ୍ୟବଧାନରେ ପାଣି ପିଇବା ନିମନ୍ତେ ସ୍ଵତନ୍ତ୍ର ବେଲ୍ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଥିଲା l ଜନବହୁଳ ଟ୍ରାଫିକ୍ ସ୍ଥାନମାନଙ୍କରେ ଅସ୍ଥାୟୀ ସେଡ୍ ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲାl ବୈଠକରେ ଡାକ୍ତରଖାନାମାନଙ୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଅଂଶୁଘାତ ୱାର୍ଡର ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ସମସ୍ତ ଗ୍ରାମପଞ୍ଚାୟତମାନଙ୍କରେ ନଳକୂପ ମରାମତି ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆବଶ୍ୟକସ୍ଥଳେ ପାଣି ଟ୍ୟାଙ୍କର୍ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲାl
ସେହିପରି ଖରାଦିନେ ବିଦ୍ୟୁତ୍ କାଟ ନିୟମିତ ସମସ୍ୟା ସୃଷ୍ଟି କରୁଥିବାରୁ ଏ ନେଇ ଶକ୍ତି ବିଭାଗ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯିବା ସହ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବାକୁ ଅଧିକ ଶକ୍ତି ସଂରକ୍ଷଣ କରି ରଖିବାକୁ ଆଲୋଚନା ହୋଇଥିଲା l ସାଧାରଣ ଲୋକେ ଫୋନ୍ କରି ହେଲ୍ପ୍ ଲାଇନ୍ ନମ୍ଵରରେ ଶକ୍ତି ବିଭାଗ ସହ ଯୋଗାଯୋଗ କରିବାକୁ ଚାହିଁଲେ ବିଭାଗ ପକ୍ଷରୁ ସେମାନଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣି ଆଶ୍ୱାସନା ଦେଇ ସମସ୍ୟାର ସମାଧାନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଥିଲେ l
ଝାରସୁଗୁଡ଼ା, ବ୍ରଜରାଜନଗର, ଅନୁଗୁଳ, ତାଳଚେର ଆଦି ଅଞ୍ଚଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକ ପ୍ରଭାବିତ ହେଉଥିବା ଯୋଗୁ ସେସବୁ ଅଞ୍ଚଳରେ ବିଶେଷ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲାl ବିଭିନ୍ନ ଖଣି ଅଞ୍ଚଳ ଏବଂ କଳକାରଖାନାମାନଙ୍କରେ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ସହ କୁଲିଂ ସେଲଟର୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ଏଥିସହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଶୀତତାପ ନିୟନ୍ତ୍ରିତ ବସ୍ ସେବା ଯୋଗାଇ ଦେବାକୁ ଆଲୋଚନା ହୋଇଥିଲା l ସେହିପରି ଦୀର୍ଘମିଆଦୀ ସୂତ୍ରରେ ସହରାଞ୍ଚଳରେ କ୍ଷୁଦ୍ର ଜଙ୍ଗଲୀକରଣ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ଖାଲି ଥିବା ସରକାରୀ ଜମି ଯୋଗାଇ ଦିଆଯିବାକୁ ଆଲୋଚନା ହୋଇଥିଲାl ବିଭିନ୍ନ ବଡ଼ବଡ଼ କୋଠାର ବାହାର କାନ୍ଥରେ ସବୁଜିମାର କଭରରେ ଆଚ୍ଛାଦିତ କରିବାକୁ ମଧ୍ଯ ଆଲୋଚନା ହୋଇଥିଲାl

Share