ନୂଆଦିଲ୍ଲୀ: ଦିଲ୍ଲୀରେ ୟୁଏନଆଇ ନ୍ୟୁଜ୍ ଏଜେନ୍ସି କାର୍ଯ୍ୟାଳୟ ସିଲ୍ । ପୋଲିସ ବିରୋଧରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦେଶର ଅନ୍ୟତମ ପୁରାତନ ନ୍ୟୁଜ୍ ଏଜେନ୍ସି ‘ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆ‘ ର କାର୍ଯ୍ୟାଳୟକୁ ପୋଲିସ ସିଲ୍ କରିଛି । ଏହି କାର୍ଯ୍ୟାନୁଷ୍ଠାନକୁ ସାମ୍ବାଦିକ ସଂଘ “ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ” ବୋଲି କହି ନିନ୍ଦା କରିଛି ।
କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ UNI କୁ ଦିଆଯାଇଥିବା ଜମି ବଣ୍ଟନକୁ ରଦ୍ଦ କରାଯାଇଥିଲା।ଏହା ବିରୋଧରେ ନ୍ୟୁଜ୍ ଏଜେନ୍ସି ହାଇକୋର୍ଟ ଯାଇଥିଲେ ମଧ୍ୟ କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଫଳରେ ପୋଲିସ ଅଫିସ୍ ଟିକୁ ଖାଲି କରି ସିଲ୍ କରିଛି ।
ଅଫିସ୍ ସିଲ୍ କରିବା ସମୟରେ ପୋଲିସ ଏବଂ ସାମ୍ବାଦିକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଜଣେ ମହିଳା ପୋଲିସ କର୍ମଚାରୀ ଜଣେ ମହିଳା ସାମ୍ବାଦିକାଙ୍କୁ ଧକ୍କା ମାରିବା ଫଳରେ ସେ ତଳେ ପଡ଼ିଯାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୟୁଏନଆଇ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ପୋଲିସ ସେମାନଙ୍କ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଛି ।
ସେପଟେ ଦିଲ୍ଲୀ ପୋଲିସ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। କହିଛି ସମସ୍ତ କାର୍ଯ୍ୟ ଆଇନ ଅନୁସାରେ କରାଯାଇଛି । ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ତେଣୁ କୌଣସି ଅନ୍ୟାୟ ହୋଇନାହିଁ । ୟୁଏନଆଇ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି ଏଭଳି କାର୍ଯ୍ୟାନୁଷ୍ଠାନ ଗଣତନ୍ତ୍ର ପାଇଁ ଚିନ୍ତାଜନକ ।

