ନୂଆଦିଲ୍ଲୀ : ଭାରତ ମହାସାଗରରେ ଯୁଦ୍ଧର ନିଆଁ । ଆମେରିକାର ସବୁଠାରୁ ବଡ଼ ଘାଟି ‘ଡିଏଗୋ ଗାର୍ସିଆ’କୁ ଟାର୍ଗେଟ କଲା ଇରାନ । ଭାରତ ମହାସାଗରରେ ଥିବା ଆମେରିକାର ଶକ୍ତିଶାଳୀ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରେ ଇରାନର ଆଟାକ । ଆମେରିକା ଓ ବ୍ରିଟେନର ମିଳିତ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରକୁ ଦୁଇଟି ଶକ୍ତିଶାଳୀ ମିସାଇଲ ମାଡ଼ କରିଛି ତେହେରାନ । ଯଦିଓ ଏହି ଆକ୍ରମଣ ବିଫଳ ହୋଇଛି, କିନ୍ତୁ ଏହା ବିଶ୍ୱ ପାଇଁ ଏକ ବଡ଼ ଚେତାବନୀ । ଇରାନ ପଠାଇଥିବା ଦୁଇଟି ମିସାଇଲ ମଧ୍ୟରୁ ଗୋଟିଏ ଅଧା ବାଟରେ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟଟିକୁ ଆମେରିକା ଯୁଦ୍ଧଜାହାଜ ଆକାଶରେ ହିଁ ଧ୍ୱଂସ କରିଦେଇଛି । ସାମରିକ ଘାଟିର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।
ସୂଚନାନୁଯାୟୀ, ଇରାନ ସୀମାରୁ ଏହି ଦ୍ୱୀପର ଦୂରତା ପ୍ରାୟ ୪,୦୦୦ କିଲୋମିଟର । ପୂର୍ବରୁ ଇରାନ ପାଖରେ ଏତେ ଦୂରକୁ ମାଡ଼ କରିପାରୁଥିବା ମିସାଇଲ ନଥିବା କୁହାଯାଉଥିଲା । କିନ୍ତୁ ଆକ୍ରମଣରୁ ଜଣାପଡ଼ୁଛି ଯେ, ଇରାନ ଚୁପ୍ ଚାପ୍ ନିଜର ମିସାଇଲ ଶକ୍ତି ବହୁତ ବଢ଼ାଇ ସାରିଛି । ଏପର୍ଯ୍ୟନ୍ତ ଯୁଦ୍ଧ କେବଳ ମଧ୍ୟପ୍ରାଚ୍ୟ ମଧ୍ୟରେ ସୀମିତ ଥିଲା । କିନ୍ତୁ ଏବେ ଏହା ଭାରତ ମହାସାଗର ପର୍ଯ୍ୟନ୍ତ ପହଞ୍ଚିଗଲାଣି । ଡିଏଗୋ ଗାର୍ସିଆରୁ ହିଁ ଆମେରିକା ନିଜର ବଡ଼ ବଡ଼ ବୋମାବର୍ଷୀ ବିମାନ (B-2 ଏବଂ B-52) ସାହାଯ୍ୟରେ ଇରାନ ଉପରେ ଆକ୍ରମଣ କରେ । ଏବେ ଇରାନ ସେହି ଘାଟିକୁ ଟାର୍ଗେଟ କରି ଆମେରିକା ଓ ବ୍ରିଟେନକୁ ଖୋଲା ଧମକ ଦେଇଛି । ଏହି ଘଟଣା ପରେ ଆମେରିକା ନିଜର ସାମରିକ ଘାଟିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦେଇଛି ।

