1920270 custom size 2026 03 20t135214.317 1024x575

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକା ଏହାର ସହଯୋଗୀ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ୭୦୦ କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଅନୁମୋଦନ କରିଛି। ଏହା ପୂର୍ବରୁ ଗୁରୁବାର ପଶ୍ଚିମ ଏସିଆର ୩ଟି ରାଷ୍ଟ୍ରକୁ ଆମେରିକା ୧୬୫୦ କୋଟି ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଅନୁମୋଦନ କରିଥିଲା। ମାତ୍ର ୟୁଏଇ ପାଇଁ ଆମେରିକା ଅତିରିକ୍ତ ୭୦୦ କୋଟି ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ୟୁଏଇକୁ ଯୋଗାଇ ଦିଆଯିବାକୁ ଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ପାଟ୍ରିଅଟ୍ ପିଏସି-୩ କ୍ଷେପଣାସ୍ତ୍ର।

ଯାହାର ମୂଲ୍ୟ ୫୬୦ କୋଟି ଡଲାର। ଏହା ଆକାଶରୁ ଆସୁଥିବା ଶତ୍ରୁ ମିସାଇଲ୍‌କୁ ଧ୍ୱଂସ କରିବାରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟବସ୍ଥା। ଏହା ସହିତ ୧୩୨ କୋଟି ଡଲାର ମୂଲ୍ୟର ଚିକୁନ​‌ ହେଲିକପ୍ଟର। ଏହି ହେଲିକପ୍ଟରଗୁଡ଼ିକ ସାମରିକ ସାମଗ୍ରୀ ଓ ସୈନ୍ୟ ପରିବହନ ପାଇଁ ବ୍ୟବହୃତ ହେବ। ଆମେରିକା ଚଳାଇଥିବା ଯୁଦ୍ଧର ପ୍ରତିଶୋଧ ନେବା ଲାଗି ଇରାନ ଏବେ ୟୁଏଇକୁ ଟାର୍ଗେଟ କରିବାରେ ଲାଗିଛି।

ୟୁଏଇରେ ଥିବା ଆମେରିକା ସାମରିକ ପ୍ରତିଷ୍ଠାନ ସହିତ ବେସାମରିକ ପ୍ରତିଷ୍ଠାନ ଉପରେ ଇରାନ ଆକ୍ରମଣ କରିଚାଲିଛି। ତେଣୁ ଇରାନର ଆକ୍ରମଣକୁ ମୁକାବିଲା କରିବା ଲାଗି ଆମେରିକା ଏହି ଅସ୍ତ୍ରଶସ୍ତ୍ର ସହାୟତା ଯୋଗାଇ ଦେବ। ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଏହାକୁ ଏକ ଜରୁରୀକାଳୀନ ପରିସ୍ଥିତି ବୋଲି ଦର୍ଶାଇ କଂଗ୍ରେସର ସାଧାରଣ ସମୀକ୍ଷା ପ୍ରକ୍ରିୟାକୁ ଏଡ଼ାଇ ଯାଇଛନ୍ତି, ଯାହାଫଳରେ ୟୁଏଇକୁ ଅସ୍ତ୍ରଶସ୍ତ୍ର ଶୀଘ୍ର ପଠାଯାଇପାରିବ। ବିଶ୍ୱ ବଜାରରେ ତେଲ ଦର ବଢୁଥିବାରୁ ୟୁଏଇର ତୈଳ କ୍ଷେତ୍ର ଓ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ଏହି ସୁରକ୍ଷା ପ୍ୟାକେଜ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେରିକା କହିଛି। ଏହି ଅସ୍ତ୍ରଶସ୍ତ୍ର ବ୍ୟତୀତ ଆମେରିକା ୟୁଏଇକୁ ଥାଡ୍ ଏୟାର ଡିଫେନ୍ସ ସିଷ୍ଟମ, ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜି ଏବଂ ଏଫ-୧୬ ଯୁଦ୍ଧ ବିମାନ ପାଇଁ ଆଧୁନିକ ମିସାଇଲ୍ ଯୋଗାଇବା ପାଇଁ ମଧ୍ୟ ଅନୁମୋଦନ ଦେଇଛି।

Share