ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ରେକର୍ଡ । ଭାରତର ସବୁଠାରୁ ଦୀର୍ଘକାଳୀନ ଶାସନ ମୁଖ୍ୟ। ଶାସନ ମୁଖ୍ୟ ଭାବରେ ୮,୯୩୧ ଦିନ ପୂରଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଜନୈତିକ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଜଣେ ‘ଶାସନ ମୁଖ୍ୟ’ ଭାବରେ ସେ ସବୁଠାରୁ ଅଧିକ ଦିନ କାର୍ଯ୍ୟ କରିବାର ରେକର୍ଡ ନିଜ ନାମରେ କରିଛନ୍ତି।
ମୋଦୀଙ୍କ ଶାସନ କାଳ ମୋଟ ୮ ହଜାର ୯୩୧ ଦିନ। ପ୍ରଥମେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ୭ ଅକ୍ଟୋବର ୨୦୦୧ ରୁ ୨୨ ମେ ୨୦୧୪ ପର୍ଯ୍ୟନ୍ତ ପ୍ରାୟ ୪,୬୧୪ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। ୨୦୧୪ରୁ ସେ ଭାରତର ପ୍ରଧାନମନ୍ତ୍ରୀ ଅଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ଭାବେ ୨୬ ମେ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦାୟିତ୍ବରେ ଅଛନ୍ତି। ଲଗାତାର ୩ଟି ଟର୍ମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ପଦକୁ ମିଶାଇ ସେ ୨୪ ବର୍ଷରୁ ଅଧିକ ସମୟ ଧରି ଶାସନ ମୁଖ୍ୟ ଦାୟିତ୍ୱ ତୁଲାଇଛନ୍ତି।
ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ବର୍ତ୍ତମାନ ୮,୯୩୧ ଦିନ ଶାସନ ମୁଖ୍ୟ ହୋଇଛି ଏକ ନମ୍ବର ସ୍ଥାନରେ ଅଛନ୍ତି। ୮,୯୩୦ ଦିନ ସହ ଦ୍ବିତୀୟରେ ଅଛନ୍ତି ପୱନ କୁମାର ଚାମଲିଂ। ସିକିମର ମୁଖ୍ୟମନ୍ତ୍ରୀ ଭାବେ ସେ ଦୀର୍ଘ ୨୪ ବର୍ଷ ୧୬୫ ଦିନ ଶାସନ କରିଥିଲେ। ତୃତୀୟରେ ଅଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ୮,୮୬୪ ଦିନ ଶାସନ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ୨୪ ବର୍ଷ ୯୯ ଦିନ ଶାସନ କରିଥିଲେ।
୮,୫୨୦ ଦିନ ସହ ଚତୁର୍ଥ ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ। ସେ ମୁଖ୍ୟମନ୍ତ୍ରୀ ଭାବେ ପ୍ରାୟ ୨୩ ବର୍ଷରୁ ଅଧିକ ସମୟ ଶାସନ କରିଥିଲେ। ପଞ୍ଚମରେ ଅଛନ୍ତି ୮,୨୫୦ ଦିନ ସହ ପଞ୍ଚମରେ ଅଛନ୍ତି ଗେଗୋଙ୍ଗ ଆପାଙ୍ଗ। ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ସେ ପ୍ରାୟ ୨୨ ବର୍ଷରୁ ଅଧିକ ସମୟ ଦାୟିତ୍ୱରେ ଥିଲେ। ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଉଭୟ ସ୍ତରରେ ଶାସନର ମୋଟ ଦିନକୁ ଆଧାରରେ ମୋଦି ଐତିହାସିକ ରେକର୍ଡ କରିଛନ୍ତି। ଯଦି କେବଳ ପ୍ରଧାନମନ୍ତ୍ରୀ ପଦ କଥା ଦେଖାଯାଏ, ତେବେ ଜବାହରଲାଲ ନେହେରୁ ଏବେ ବି ଶୀର୍ଷରେ ଅଛନ୍ତି।

