ଗାଜିଆବାଦର ବାସିନ୍ଦା ଥିଲେ ହରିଶ ରାଣା । ୨୦୧୩ ମସିହାରେ ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ। ସେଠାରେ ପାଠପଢ଼ୁଥିବା ସମୟରେ, ସେ ତାଙ୍କ ହଷ୍ଟେଲର ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ ଏବଂ ତାଙ୍କର ମସ୍ତିଷ୍କରେ ଗୁରୁତର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ, ଡାକ୍ତରମାନେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖିଥିଲେ ଏବଂ ସେବେଠାରୁ ସେ କୋମାରେ ଥିଲେ ।
ଦୀର୍ଘ ୧୩ ବର୍ଷ ଧରି କୋମାରେ ରହିଥିଲେ ହରିଶ ରାଣା । ତାଙ୍କର ଏଭଳି ଅବସ୍ଥା ଦେଖି ପରିବାର ଲୋକେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ପିଣ୍ଡରେ ପ୍ରାଣ ଥିଲା ସତ, କିନ୍ତୁ ହରିଶ ଆଉ କେବେ ସୁସ୍ଥ ହୋଇ ପରିବାର ପାଖକୁ ଫେରିଆସିବ ସେହି ଆଶା ନଥିଲା । ଜୀଅନ୍ତ ଶବ ପାଲଟିଯାଇଥିଲେ ହରିଶ । ସେପଟେ ମେଡିକାଲ କଣ୍ଡିସନ୍ ଏବଂ ପରିବାରର ଗୁହାରୀ ପରେ ସୁପ୍ରିମକୋର୍ଟ ହରିଶଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥିଲେ । ନିୟମ ଅନୁସାରେ ଏମ୍ସ ହସ୍ପିଟାଲରେ ହରିଶଙ୍କ ମୃତ୍ୟୁ ପାଇଁ ସମସ୍ତ ପ୍ରକ୍ରିୟା କରାଯାଇଥିଲା । ଆଉ ଆଜି ହରିଶ ରାଣାଙ୍କ ପରଲୋକ ଘଟିଛି ।

