ଝାଡଖଣ୍ଡ : ଝାଡଖଣ୍ଡ ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ଭିତରେ ପୂର୍ବତନ JPSC ଅଧ୍ୟକ୍ଷ ଏଲ୍ ଖିଆଙ୍ଗଟେଙ୍କୁ ଗିରଫ କଲା ଝାଡ଼ଖଣ୍ଡ CID । ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC)ର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ IAS ଅଧିକାରୀ ଏଲ୍ . ଖିଆଙ୍ଗଟେଙ୍କୁ ଝାଡ଼ଖଣ୍ଡ CID ଗିରଫ କରିଛି । JPSC ଦ୍ୱାରା ପରିଚାଳିତ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ମାମଲାରେ ତାଙ୍କୁ ଗିରଫ କରାଯାଇଥିବା CID ଏଡିଜି ମନୋଜ କୌଶିକ ସୂଚନା ଦେଇଛନ୍ତି । ଖିଆଙ୍ଗଟେଙ୍କୁ ମିଶାଇ ଏହି ମାମଲାରେ ଗିରଫ ସଂଖ୍ୟା ୨୦ରେ ପହଞ୍ଚିଛି ।
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ସଚିବ ଥିବା ଖିଆଙ୍ଗଟେ ୨୦୨୫ ଫେବ୍ରୁଆରୀରେ JPSC ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ । ତେବେ ତଦନ୍ତ ଜୋରଦାର ହେବା ମଧ୍ୟରେ ଗତ ଜୁଲାଇ ୨୨ରେ ସେ ପଦରୁ ଇସ୍ତଫା ଦେଇଥିଲେ । ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ସ୍ୱେଚ୍ଛାକୃତ ଭାବେ ପଦ ଛାଡ଼ିଥିବା ସେତେବେଳେ କହିଥିଲେ । ଏହାର ପରଦିନ CID ତାଙ୍କ କାଙ୍କେ ରୋଡ୍ ସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଜୁଲାଇ ୨୮ ପରଠାରୁ ତାଙ୍କୁ ଏକାଧିକ ଥର ଦୀର୍ଘ ସମୟ ଧରି ପଚରାଉଚରା ମଧ୍ୟ କରାଯାଇଥିଲା ।
୧୪ତମ JPSC କମ୍ବାଇନ୍ଡ ସିଭିଲ୍ ସର୍ଭିସେସ୍ ପରୀକ୍ଷାକୁ ନେଇ ହୋଇଥିବା ଅନିୟମିତତାକୁ ନେଇ ଯାଞ୍ଚ ଚାଲିଥିଲା । ୧୦୩ଟି ଗ୍ରୁପ୍-A ଓ ଗ୍ରୁପ୍-B ପଦ ପାଇଁ ଏହାର ପ୍ରିଲିମିନାରୀ ପରୀକ୍ଷା ଏପ୍ରିଲ ୧୯ରେ ହୋଇଥିଲା । ପରୀକ୍ଷା ପରିଚାଳନା ଦାୟିତ୍ୱ ଲକ୍ଷ୍ନୌର TSR Data Processing Private Limited (TDPL)କୁ ଦିଆଯିବା ପ୍ରକ୍ରିୟା ଏବେ CID ତଦନ୍ତ ପରିସରରେ ରହିଛି । ଏହି ସଂସ୍ଥା ପୂର୍ବରୁ ବ୍ଲାକ୍ ଲିଷ୍ଟ ହୋଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ଠିକା ପ୍ରଦାନରେ ଲାଞ୍ଚ କାରବାର ଓ ନିୟମ ଉଲ୍ଲଂଘନ ହୋଇଥିବା ଗୁରୁତର ଅଭିଯୋଗର ମଧ୍ୟ CID ତଦନ୍ତ କରୁଛି ।
ଗିରଫ TDPL ମାର୍କେଟିଂ ମ୍ୟାନେଜର ଅଭୟ କୁମାର ତିୱାରୀ ତଦନ୍ତକାରୀଙ୍କ ନିକଟରେ ଖିଆଙ୍ଗଟେଙ୍କୁ ପ୍ରାୟ ୨ କୋଟି ଟଙ୍କା ଦିଆଯାଇଥିବା ନେଇ କହିଥିବା ରିପୋର୍ଟ ହୋଇଛି । ଭାରତୀୟ ନ୍ୟାୟ ସଂହିତା ସହ ଝାଡ଼ଖଣ୍ଡର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନୁଚିତ ଉପାୟ ନିୟନ୍ତ୍ରଣ ଓ ପ୍ରତିରୋଧ ସମ୍ପର୍କିତ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୂର୍ବରୁ JPSCର ପୂର୍ବତନ ଡେପୁଟି କଣ୍ଟ୍ରୋଲର ଅଫ୍ ଏକ୍ଜାମିନେସନ୍ସ ଶ୍ୱେତା କୁମାରୀ ଗୁପ୍ତା, TDPLର ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ସମେତ କେତେକ ପରୀକ୍ଷାର୍ଥୀ ଏବଂ କଥିତ ଏଜେଣ୍ଟଙ୍କୁ ଗିରଫ କରାଯାଇଛି । JPSC କାର୍ଯ୍ୟାଳୟ, TDPL ପରିସର, ଖିଆଙ୍ଗଟେଙ୍କ ବାସଭବନ, ହୋଟେଲ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରି CID ବିଭିନ୍ନ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ ଡିଭାଇସ୍, OMR ସିଟ୍, ଆଡମିଟ୍ କାର୍ଡ ଓ ବ୍ୟାଙ୍କ ସମ୍ପର୍କିତ ରେକର୍ଡ ଜବତ କରିଛି । ଏହି ବିବାଦ ମଧ୍ୟରେ JPSC ସିଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି ।
