ଓଡ଼ିଶା ଡିଜିପି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ମାମଲା, ଆସନ୍ତା ୧୨ରେ ଶୁଣାଣି

Odisha dgp 750x430

ନୂଆଦିଲ୍ଲୀ: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଏକ ଗୁରୁତର ଅଭିଯୋଗ ଉଠିଛି। DGP ନିଯୁକ୍ତି ନେଇ ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ ଓଡ଼ିଶା ସରକାର ଏଡ଼ାଇବାକୁ ଚେଷ୍ଟା କରୁଥିବା ଦର୍ଶାଇ ଏକ ଜନସ୍ୱାର୍ଥ ମାମଲା (PIL) ଦାଏର ହୋଇଛି। ଏହି ମାମଲାର ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି ଏବଂ ଅଗଷ୍ଟ ୧୨ ଅର୍ଥାତ୍ ବୁଧବାର ଏହାର ଶୁଣାଣି ହେବ।

ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନଙ୍କ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାକୁ ଆସନ୍ତାକାଲି ତାଲିକାଭୁକ୍ତ କରିବାକୁ ସମ୍ମତି ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ମାମଲାଟି ଉପସ୍ଥାପନ କରିଥିଲେ।

ଚିଦାମ୍ବରମ୍ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ପୂର୍ବରୁ UPSCକୁ ପଠାଇଥିବା ଅଧିକାରୀଙ୍କ ପ୍ୟାନେଲ୍‌କୁ ପ୍ରତ୍ୟାହାର କରି ଏବେ ନୂଆ ତାଲିକା ପ୍ରସ୍ତୁତ କରୁଛି। ଏହି ନୂଆ ପ୍ୟାନେଲ୍‌ରେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁନଥିବା ଜଣେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADGP)ଙ୍କୁ ପ୍ରଥମେ DGP ପାହ୍ୟାକୁ ପଦୋନ୍ନତି ଦେଇ ପରେ ତାଙ୍କ ନାମ UPSCକୁ ପଠାଇବାକୁ ଚେଷ୍ଟା ହେଉଛି ବୋଲି ସେ ଦାବି କରିଛନ୍ତି। ଚିଦାମ୍ବରମ୍ କହିଛନ୍ତି, ଏପ୍ରିଲରେ ରାଜ୍ୟ ସରକାର UPSCକୁ ଏକ ପ୍ୟାନେଲ୍ ପଠାଇଥିଲେ। ପରେ ତାହାକୁ ପ୍ରତ୍ୟାହାର କରାଯାଇଥିଲା। ମେ’ ମାସରେ ୩ ଜଣ DGP ଏବଂ ୮ ଜଣ ADGPଙ୍କୁ ନେଇ ଆଉ ଏକ ପ୍ୟାନେଲ୍ ପଠାଯାଇଥିଲା।

ତାଙ୍କ ଦାବି ଅନୁସାରେ, ଅଗଷ୍ଟ ୭ରେ UPSC ସ୍ପଷ୍ଟ କରିଥିଲା ଯେ କେବଳ DGP ପାହ୍ୟାର ଅଧିକାରୀଙ୍କୁ ହିଁ ବିଚାର କରାଯିବ। ଏହାପରେ ପ୍ୟାନେଲ୍‌କୁ ପ୍ରତ୍ୟାହାର କରାଯାଇଥିବା ଏବଂ ରାଜ୍ୟ ସରକାର ପୁଣି ଏକ ନୂଆ ତାଲିକା ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି।

ମାମଲା ଶୁଣିବା ସମୟରେ CJI ସୂର୍ଯ୍ୟକାନ୍ତ କହିଛନ୍ତି ଯେ, କେଉଁ ଅଧିକାରୀ ଯୋଗ୍ୟ ଏବଂ କାହାକୁ ବିଚାର କରାଯାଇପାରିବ, ସେ ବିଷୟରେ UPSC ଭଲ ଭାବରେ ଅବଗତ। ଯଦି ଯୋଗ୍ୟ ନଥିବା ଅଧିକାରୀଙ୍କ ପ୍ୟାନେଲ୍ ପଠାଯାଉଛି, ତେବେ UPSC ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବ ବୋଲି କୋର୍ଟ ଆଶା ପ୍ରକାଶ କରିଛନ୍ତି। CJI ସ୍ପଷ୍ଟ ଭାବେ କହିଛନ୍ତି, “ଆମେ ଆଶା କରୁଛୁ UPSC ଆମ ରାୟକୁ ପାଳନ କରିବ।”

ତେବେ DGP ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ‘ପ୍ରକାଶ ସିଂହ ବନାମ ଭାରତ ସରକାର’ ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରିବାକୁ ପଡ଼େ। ଏହି ବ୍ୟବସ୍ଥା ଅନୁସାରେ ରାଜ୍ୟ ପକ୍ଷରୁ ଯୋଗ୍ୟ ଅଧିକାରୀଙ୍କ ନାମ UPSCକୁ ପଠାଯାଏ। UPSC ସେଥିରୁ ଏକ ପ୍ୟାନେଲ୍ ପ୍ରସ୍ତୁତ କରେ ଏବଂ ରାଜ୍ୟ ସରକାରଙ୍କୁ ସେହି ପ୍ୟାନେଲ୍‌ରୁ DGP ନିଯୁକ୍ତ କରିବାକୁ ପଡ଼େ। ନିୟମ ଅନୁସାରେ, ଲେଭେଲ୍-୧୭ର DGP ପଦ ପାଇଁ ଲେଭେଲ୍-୧୬ର DGP ପାହ୍ୟାର ଅଧିକାରୀଙ୍କ ମଧ୍ୟରୁ ଚୟନ କରାଯିବା କଥା। କେବଳ ଯୋଗ୍ୟ ଅଧିକାରୀଙ୍କ ସଂଖ୍ୟା କମ୍ ଥିବା କାରଣରୁ ରାଜ୍ୟ ଏହି ଯୋଗ୍ୟତା ନିୟମକୁ ଏଡ଼ାଇ ପାରିବ ନାହିଁ ବୋଲି କୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।

ବର୍ତ୍ତମାନର DGP ୱାଇ.ବି. ଖୁରାନିଆ ଅଗଷ୍ଟ ୩୧ରେ ଅବସର ନେବେ। ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ରାଜ୍ୟ ସରକାର ପ୍ରଥମେ ୩ ଜଣ ଅଧିକାରୀଙ୍କ ନାମ ପଠାଇଥିଲେ। ପରେ ୧୧ ଜଣ ବରିଷ୍ଠ IPS ଅଧିକାରୀଙ୍କ ନାମ ଥିବା ବିସ୍ତୃତ ପ୍ୟାନେଲ୍ UPSCକୁ ପଠାଯାଇଥିଲା। ଅଗଷ୍ଟ ୭ରେ UPSC ଏହି ତାଲିକାରୁ ୩ ଜଣଙ୍କୁ ସର୍ଟଲିଷ୍ଟ କରିବା ପାଇଁ ବୈଠକ କରିବାର ଥିଲା। ଏବେ ରାଜ୍ୟ ସରକାର ପ୍ୟାନେଲ୍ ପ୍ରତ୍ୟାହାର କରି ନୂଆ ତାଲିକା ପଠାଇବାକୁ ଚାହୁଁଥିବା ଅଭିଯୋଗ ମଧ୍ୟରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାର ଶୁଣାଣି ଅଗଷ୍ଟ ୧୨ରେ ହେବ। ତେଣୁ ଖୁରାନିଆଙ୍କ ଅବସର ପୂର୍ବରୁ ଓଡ଼ିଶାର ନୂଆ DGP କିଏ ହେବେ, ତା’ଠାରୁ ଏବେ ଅଧିକ ନଜର ରହିଛି, DGP ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟ କ’ଣ ନିର୍ଦ୍ଦେଶ ଦେବେ।

ତେବେ କହିରଖୁଛୁ, ପ୍ରକାଶ ସିଂହ ହେଉଛି ଭାରତରେ ପୋଲିସ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଏକ ଐତିହାସିକ ରାୟ। ୧୯୯୬ ମସିହାରେ, ଉତ୍ତରପ୍ରଦେଶ ଓ ଆସାମର ପୂର୍ବତନ DGP (Director General of Police) ପ୍ରକାଶ ସିଂହ ପୋଲିସ ବ୍ୟବସ୍ଥାକୁ ରାଜନୈତିକ ଚାପରୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୦୬ ମସିହାରେ ସମସ୍ତ ରାଜ୍ୟ ପାଇଁ କେତେକ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏହି ମାମଲାର ମୁଖ୍ୟ ଗାଇଡ୍‌ଲାଇନ୍ ଏବଂ DGP ନିଯୁକ୍ତି ନିୟମଗୁଡ଼ିକ ମଧ୍ୟରେ:

୧. DGP ନିଯୁକ୍ତିର ସ୍ୱଚ୍ଛ ପ୍ରକ୍ରିୟାରାଜ୍ୟ ସରକାର ନିଜ ଇଚ୍ଛା ଅନୁସାରେ କାହାକୁ ବି DGP କରିପାରିବେ ନାହିଁ।

ସବୁଠାରୁ ବରିଷ୍ଠ IPS ଅଧିକାରୀମାନଙ୍କର ଏକ ତାଲିକା ରାଜ୍ୟ ସରକାର ପ୍ରଥମେ UPSC (Union Public Service Commission) ପାଖକୁ ପଠାଇବେ। UPSC ସେହି ତାଲିକାରୁ ଯୋଗ୍ୟତା ଓ ସେବା ଅବଧି ଆଧାରରେ ୩ ଜଣ ସବୁଠାରୁ ଉପଯୁକ୍ତ ଅଧିକାରୀଙ୍କ ନାମ ବାଛି ରାଜ୍ୟକୁ ଫେରସ୍ତ କରିବ।ରାଜ୍ୟ ସରକାର ସେହି ୩ ଜଣଙ୍କ ମଧ୍ୟରୁ ଜଣକୁ DGP ଭାବେ ନିଯୁକ୍ତି ଦେବେ।

୨. ୨ ବର୍ଷର ନିଶ୍ଚିତ କାର୍ଯ୍ୟକାଳ (Fixed Tenure) ଥରେ ଜଣେ ଅଧିକାରୀ DGP ଭାବେ ନିଯୁକ୍ତ ହେଲେ, ତାଙ୍କୁ କମ୍ ସେ କମ୍ ୨ ବର୍ଷ ପର୍ଯ୍ୟନ୍ତ ସେହି ପଦବୀରେ ରଖିବାକୁ ପଡ଼ିବ। ସରକାର ବଦଳିଗଲେ ମଧ୍ୟ ମଝିରେ ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ହଟାଇ ପାରିବେ ନାହିଁ।

୩. ରାଜନୈତିକ ହସ୍ତକ୍ଷେପରୁ ମୁକ୍ ତିପୋଲିସ ଅଧିକାରୀମାନଙ୍କ ବଦଳି ଏବଂ ପୋଷ୍ଟିଂକୁ ରାଜନେତାଙ୍କ ନିୟନ୍ତ୍ରଣରୁ ମୁକ୍ତ କରିବା ପାଇଁ ପ୍ରତି ରାଜ୍ୟରେ ଏକ ପୋଲିସ ପ୍ରତିଷ୍ଠାନ ବୋର୍ଡ (Police Establishment Board) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

୪. ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ପୋଲିସ ଅଭିଯୋଗ ପ୍ରାଧିକରଣ (Police Complaints Authority) ଗଠନ କରିବାକୁ କୁହାଯାଇଥିଲା।

Share