ବର୍ତ୍ତମାନର DGP ୱାଇ.ବି. ଖୁରାନିଆ ଅଗଷ୍ଟ ୩୧ରେ ଅବସର ନେବେ। ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ରାଜ୍ୟ ସରକାର ପ୍ରଥମେ ୩ ଜଣ ଅଧିକାରୀଙ୍କ ନାମ ପଠାଇଥିଲେ। ପରେ ୧୧ ଜଣ ବରିଷ୍ଠ IPS ଅଧିକାରୀଙ୍କ ନାମ ଥିବା ବିସ୍ତୃତ ପ୍ୟାନେଲ୍ UPSCକୁ ପଠାଯାଇଥିଲା। ଅଗଷ୍ଟ ୭ରେ UPSC ଏହି ତାଲିକାରୁ ୩ ଜଣଙ୍କୁ ସର୍ଟଲିଷ୍ଟ କରିବା ପାଇଁ ବୈଠକ କରିବାର ଥିଲା। ଏବେ ରାଜ୍ୟ ସରକାର ପ୍ୟାନେଲ୍ ପ୍ରତ୍ୟାହାର କରି ନୂଆ ତାଲିକା ପଠାଇବାକୁ ଚାହୁଁଥିବା ଅଭିଯୋଗ ମଧ୍ୟରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାର ଶୁଣାଣି ଅଗଷ୍ଟ ୧୨ରେ ହେବ। ତେଣୁ ଖୁରାନିଆଙ୍କ ଅବସର ପୂର୍ବରୁ ଓଡ଼ିଶାର ନୂଆ DGP କିଏ ହେବେ, ତା’ଠାରୁ ଏବେ ଅଧିକ ନଜର ରହିଛି, DGP ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟ କ’ଣ ନିର୍ଦ୍ଦେଶ ଦେବେ।
ତେବେ କହିରଖୁଛୁ, ପ୍ରକାଶ ସିଂହ ହେଉଛି ଭାରତରେ ପୋଲିସ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଏକ ଐତିହାସିକ ରାୟ। ୧୯୯୬ ମସିହାରେ, ଉତ୍ତରପ୍ରଦେଶ ଓ ଆସାମର ପୂର୍ବତନ DGP (Director General of Police) ପ୍ରକାଶ ସିଂହ ପୋଲିସ ବ୍ୟବସ୍ଥାକୁ ରାଜନୈତିକ ଚାପରୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୦୬ ମସିହାରେ ସମସ୍ତ ରାଜ୍ୟ ପାଇଁ କେତେକ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏହି ମାମଲାର ମୁଖ୍ୟ ଗାଇଡ୍ଲାଇନ୍ ଏବଂ DGP ନିଯୁକ୍ତି ନିୟମଗୁଡ଼ିକ ମଧ୍ୟରେ:
୧. DGP ନିଯୁକ୍ତିର ସ୍ୱଚ୍ଛ ପ୍ରକ୍ରିୟାରାଜ୍ୟ ସରକାର ନିଜ ଇଚ୍ଛା ଅନୁସାରେ କାହାକୁ ବି DGP କରିପାରିବେ ନାହିଁ।
ସବୁଠାରୁ ବରିଷ୍ଠ IPS ଅଧିକାରୀମାନଙ୍କର ଏକ ତାଲିକା ରାଜ୍ୟ ସରକାର ପ୍ରଥମେ UPSC (Union Public Service Commission) ପାଖକୁ ପଠାଇବେ। UPSC ସେହି ତାଲିକାରୁ ଯୋଗ୍ୟତା ଓ ସେବା ଅବଧି ଆଧାରରେ ୩ ଜଣ ସବୁଠାରୁ ଉପଯୁକ୍ତ ଅଧିକାରୀଙ୍କ ନାମ ବାଛି ରାଜ୍ୟକୁ ଫେରସ୍ତ କରିବ।ରାଜ୍ୟ ସରକାର ସେହି ୩ ଜଣଙ୍କ ମଧ୍ୟରୁ ଜଣକୁ DGP ଭାବେ ନିଯୁକ୍ତି ଦେବେ।
୨. ୨ ବର୍ଷର ନିଶ୍ଚିତ କାର୍ଯ୍ୟକାଳ (Fixed Tenure) ଥରେ ଜଣେ ଅଧିକାରୀ DGP ଭାବେ ନିଯୁକ୍ତ ହେଲେ, ତାଙ୍କୁ କମ୍ ସେ କମ୍ ୨ ବର୍ଷ ପର୍ଯ୍ୟନ୍ତ ସେହି ପଦବୀରେ ରଖିବାକୁ ପଡ଼ିବ। ସରକାର ବଦଳିଗଲେ ମଧ୍ୟ ମଝିରେ ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ହଟାଇ ପାରିବେ ନାହିଁ।
୩. ରାଜନୈତିକ ହସ୍ତକ୍ଷେପରୁ ମୁକ୍ ତିପୋଲିସ ଅଧିକାରୀମାନଙ୍କ ବଦଳି ଏବଂ ପୋଷ୍ଟିଂକୁ ରାଜନେତାଙ୍କ ନିୟନ୍ତ୍ରଣରୁ ମୁକ୍ତ କରିବା ପାଇଁ ପ୍ରତି ରାଜ୍ୟରେ ଏକ ପୋଲିସ ପ୍ରତିଷ୍ଠାନ ବୋର୍ଡ (Police Establishment Board) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
୪. ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ପୋଲିସ ଅଭିଯୋଗ ପ୍ରାଧିକରଣ (Police Complaints Authority) ଗଠନ କରିବାକୁ କୁହାଯାଇଥିଲା।
