ଲୋକସଭାରେ ବିଲ୍ ଆଗତ ହେବା ପରେ ଏହାକୁ ନେଇ ରାଜ୍ୟଗୁଡ଼ିକର ଅଧିକାର ଓ ଆର୍ଥିକ କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷକରି ଓଡ଼ିଶା ଭଳି ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟଗୁଡ଼ିକ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି । କାରଣ ରାଜ୍ୟର ଆର୍ଥିକ ବ୍ୟବସ୍ଥାରେ ଖଣି ରାଜସ୍ୱର ଏକ ବଡ଼ ଭୂମିକା ରହିଛି । ବିଶେଷଜ୍ଞଙ୍କ ମତରେ, ଯଦି ଖଣିଜ ଉପରେ ରାଜ୍ୟଗୁଡ଼ିକର ଅତିରିକ୍ତ ରାଜସ୍ୱ ଆଦାୟ କ୍ଷମତା ସୀମିତ ହୁଏ, ତେବେ ଓଡ଼ିଶା ଭଳି ଖଣିଜ ସମ୍ପଦ ଉପରେ ନିର୍ଭରଶୀଳ ରାଜ୍ୟର ଆର୍ଥିକ ଯୋଜନା ପ୍ରଭାବିତ ହୋଇପାରେ ।
ଓଡ଼ିଶା ପାଇଁ ଏହି ପ୍ରସଙ୍ଗ ଆହୁରି ଗୁରୁତ୍ୱପୂର୍ଣ୍ଣ । ଲୁହାପଥର, କୋଇଲା, ବକ୍ସାଇଟ୍ ଭଳି ବିଭିନ୍ନ ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ଖଣି ରାଜସ୍ୱରୁ ବଡ଼ ଆୟ କରିଥାଏ । ତେଣୁ ନୂଆ ନିୟମ ରାଜ୍ୟର ରାଜସ୍ୱ ଓ ନୀତିଗତ ସ୍ୱାଧୀନତା ଉପରେ କେତେ ପ୍ରଭାବ ପକାଇବ, ତାହା ଏବେ ବଡ଼ ପ୍ରଶ୍ନ । ତେବେ ଏହା କେବଳ ଖଣି ନୀତିରେ ପରିବର୍ତ୍ତନ ନୁହେଁ, ବରଂ କେନ୍ଦ୍ର-ରାଜ୍ୟ ଆର୍ଥିକ ସମ୍ପର୍କ ଓ ରାଜ୍ୟର ରାଜସ୍ୱ ଅଧିକାରକୁ ନେଇ ଏକ ବଡ଼ ଚର୍ଚ୍ଚାର ଆରମ୍ଭ କରିଛି ।
