ରୁଷକୁ ସବୁଠୁ ବଡ଼ ଲାଭ?
ଏହି ପ୍ରକଳ୍ପ ଆଗକୁ ବଢ଼ିଲେ ରୁଷ ଏହାର ସବୁଠୁ ବଡ଼ ରଣନୈତିକ ଓ ଆର୍ଥିକ ଲାଭ ପାଇପାରେ। ଭାରତୀୟ ବଜାର ଏବଂ ହିନ୍ଦ ମହାସାଗର ଅଞ୍ଚଳକୁ ପହଞ୍ଚିବା ପାଇଁ ରୁଷକୁ ସମୁଦ୍ରପଥ ବ୍ୟତୀତ ଆଉ ଏକ ବିକଳ୍ପ ମିଳିବ। ଆମେରିକୀୟ କଟକଣା ଓ ରୁଷ-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷ ଏସିଆ ଦେଶଗୁଡ଼ିକ ସହ ନିଜର ବାଣିଜ୍ୟିକ ସଂଯୋଗକୁ ମଜବୁତ କରିବାକୁ ଚାହୁଁଛି। ଭାରତ ପର୍ଯ୍ୟନ୍ତ ଏକ ସିଧା ରେଳପଥ ତାକୁ ଏଥିରେ ନୂଆ ସୁଯୋଗ ଦେଇପାରେ।
ପାକିସ୍ତାନ ଓ ଆଫଗାନିସ୍ତାନ ରାଜି ହେବେ କି?
ଏହି ଯୋଜନାର ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହାର ରୁଟ୍। ପ୍ରସ୍ତାବିତ ରେଳପଥ ଏଭଳି କିଛି ଦେଶ ଦେଇ ଯିବ, ଯେଉଁଠାରେ ରାଜନୈତିକ ଓ ସୁରକ୍ଷା ପରିସ୍ଥିତି ଜଟିଳ। ବିଶେଷକରି ଆଫଗାନିସ୍ତାନ ଓ ପାକିସ୍ତାନର ସହଯୋଗ ବିନା ଏହି ରୁଟ୍କୁ ବାସ୍ତବ ରୂପ ଦେବା କଷ୍ଟକର।
ଏଥିସହିତ ଭାରତ ସହ ପାକିସ୍ତାନର ସମ୍ପର୍କ ମଧ୍ୟ ଏନେଇ ପ୍ରଶ୍ନ ସୃଷ୍ଟି କରିଛି । ଯଦିଓ ପାକିସ୍ତାନ ପାଇଁ ଏହି କରିଡର ଆର୍ଥିକ ଦୃଷ୍ଟିରୁ ଏକ ବଡ଼ ସୁଯୋଗ ହୋଇପାରେ, ରେଳପଥ ଦେଇ ଅନ୍ତର୍ଜାତୀୟ ମାଲ ପରିବହନ ହେଲେ ଟ୍ରାନଜିଟ୍ ଫି’ ଓ ବ୍ୟବସାୟିକ ଲାଭ ମିଳିପାରେ, କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘଦିନର ତିକ୍ତତା ଯୋଗୁଁ ଏଭଳି ଏକ କରିଡର ପାଇଁ ରାଜନୈତିକ ସହମତି ହାସଲ କରିବା ବଡ଼ ଚ୍ୟାଲେଞ୍ଜ ହେବ।
ସେହିପରି ଆଫଗାନିସ୍ତାନରେ ସୁରକ୍ଷା ପରିସ୍ଥିତି, ରେଳ ଭିତ୍ତିଭୂମିର ଅଭାବ ଏବଂ ରାଜନୈତିକ ସ୍ଥିରତା ମଧ୍ୟ ଏହି ପ୍ରକଳ୍ପ ପାଇଁ ବଡ଼ ପ୍ରଶ୍ନ। ତେଣୁ ରୁଷରୁ ଭାରତ ପର୍ଯ୍ୟନ୍ତ ଏହି ଟ୍ରେନ୍ ଚାଲିବାର ଯୋଜନା ରଣନୈତିକ ଭାବେ ବଡ଼ ହେଲେ ମଧ୍ୟ, ଏହାକୁ ବାସ୍ତବରେ ରୂପ ଦେବା ପାଇଁ ଅନେକ ରାଜନୈତିକ ଓ ସୁରକ୍ଷାଗତ ବାଧା ପାର ହେବାକୁ ପଡ଼ିବ।
