ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ବେନୁଖଣ୍ଡା ଗ୍ରାମରେ ଅଘଟଣ । ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ । ମୃତକ ଦୁଇଜଣ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ। ସୂଚନା ଅନୁସାରେ, ବିଲରେ ଟ୍ରାକ୍ଟର ଯୋଗେ ହଳ କରି ଫେରୁଥିବା ସମୟରେ ଟ୍ରାକ୍ଟରର ରୋଟର ମାଟି ତଳେ ଲିପ୍ଟ ଇରିଗେଶନ ପମ୍ପକୁ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା।
ଫଳରେ ଦୁଇ ଯୁବକ ବିଦ୍ୟୁତ୍ ଆଘାତରେ ଘଟଣାସ୍ଥଳରେ ପଡ଼ିଯାଇଥିଲେ । ଘଟଣା ଦେଖି ସ୍ଥାନୀୟ ଲୋକେ ବିଦ୍ୟୁତ୍ ସଂଯୋଗ କାଟି ଦୁଇଜଣଙ୍କୁ ଉଦ୍ଧାର କରି ଜଗତସିଂହପୁର ସଦର ମେଡିକାଲକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବିଦ୍ୟୁତ୍ ବିଭାଗର ଅବହେଳା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ସହ ଘଟଣାର ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ ।
