କୋରାପୁଟ: କୋଟିଆକୁ ନେଇ ପୁଣିଥରେ ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ । ବାରମ୍ବାର କୋଟିଆ ପଞ୍ଚାୟତରେ ନିର୍ବାଚନ କରାଇ ବିବାଦକୁ ବଡ଼ କରୁଥିବା ଆନ୍ଧ୍ର ପ୍ରଦେଶ ପୁଣିଥରେ ପଞ୍ଚାୟତ ନିର୍ବାଚନ ପାଇଁ ତତ୍ପର ହୋଇଉଠିଛି । ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ଆନ୍ଧ୍ର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପରିକି କୋଟିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ନିର୍ବାଚନୀ ପ୍ରଚାର ଓ ପ୍ରସାର ମଧ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ଆନ୍ଧ୍ରର ଏହି ନିର୍ବାଚନୀ ପ୍ରସ୍ତୁତିକୁ ନେଇ କୋରାପୁଟ ଜିଲ୍ଲାର ରାଜନୈତିକ ମାହୋଲ ପୁଣିଥରେ ସରଗରମ ହୋଇଛି । କୋଟିଆ ଅଞ୍ଚଳକୁ ନେଇ ଦୀର୍ଘଦିନ ଧରି ରହିଥିବା ବିବାଦ ମଧ୍ୟରେ ଆନ୍ଧ୍ରର ଏଭଳି ପଦକ୍ଷେପ ଓଡ଼ିଶା ସରକାର ଏବଂ ପ୍ରଶାସନର ଭୂମିକାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି । ଅନ୍ୟପଟେ କୋଟିଆର ବିଭିନ୍ନ ଗ୍ରାମରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବା ଖବର ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚା ବଢ଼ିଛି ।

କୋଟିଆରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ସହ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି । ଏହି ପ୍ରସଙ୍ଗରେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ମଧ୍ୟ ସରକାରଙ୍କ ଉଦାସୀନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କୋଟିଆକୁ ନେଇ ଆନ୍ଧ୍ର ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ଚାଲିଥିବା ବେଳେ ଓଡ଼ିଶା ସରକାର କାହିଁକି ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି ସେନେଇ ପ୍ରଶ୍ନ କରିବା ସହ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୧୪ ତାରିଖରେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ମ୍ୟୁନିସିପାଲ୍ କର୍ପୋରେସନ୍, ବିଭିନ୍ନ ଜିଲ୍ଲାର ମୁନିସିପାଲିଟି ଏବଂ ନଗର ପଞ୍ଚାୟତଗୁଡ଼ିକର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି ।