ସ୍କୁଲରେ ଗୁଳିମାଡ଼, ଶିକ୍ଷକଙ୍କ ସମେତ ୫ ମୃତ

Gunfire

ଆମେରିକା: ଆମେରିକାର ଓରେଗନ୍ ରାଜ୍ୟର ବେଣ୍ଡ୍ ସହରର ଏକ ପ୍ରାଥମିକ ବିଦ୍ୟାଳୟରେ ଗୁଳିକାଣ୍ଡ ଘଟିଛି । ୧୬ ବର୍ଷୀୟ ଜଣେ ନାବାଳକର ଗୁଳିମାଡ଼ରେ ତିନି ଜଣ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ ମଧ୍ୟ ଅଛନ୍ତି । ଅନ୍ୟପଟେ, ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଆକ୍ରମଣକାରୀ ସ୍କୁଲ୍‌ର ବନ୍ଦ କବାଟ ଉପରକୁ ଗୁଳି ଚଳାଇ ଭିତରକୁ ପ୍ରବେଶ କରିଥିଲା । ମୃତ ଶିଶୁଙ୍କ ବୟସ ୫, ୮ ଓ ୧୧ ବର୍ଷ ବୋଲି ଜଣାପଡ଼ିଛି । ଗୁଳିମାଡ଼ରେ ଜଣେ ୭ ବର୍ଷୀୟ ଶିଶୁ ଓ ୫୪ ବର୍ଷୀୟ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ପୋଲିସର କହିବା ଅନୁଯାୟୀ, ଆକ୍ରମଣକାରୀ ବେଣ୍ଡ୍ ସହରର ବାସିନ୍ଦା ଥିଲା । ସେ ବିଦ୍ୟାଳୟର ବନ୍ଦ କବାଟ ଉପରକୁ ଗୁଳି ଚଳାଇ ଜବରଦସ୍ତ ଭାବେ ଭିତରକୁ ପ୍ରବେଶ କରିଥିଲା । ପୋଲିସ ମୁଖପାତ୍ର ଶିଲା ମିଲର କହିଛନ୍ତି ଯେ, ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବାର କିଛି ସମୟ ପରେ ଆକ୍ରମଣକାରୀ ଗୁଳିମାଡ଼ର ଶିକାର ହୋଇ ବିଦ୍ୟାଳୟ ଭିତରେ ପଡ଼ିଯାଇଥିଲା ।

ସୂଚନା ଅନୁଯାୟୀ, ଅପରାହ୍ଣ ୧ଟା ପୂର୍ବରୁ ୯୧୧କୁ ପ୍ରଥମ ଫୋନ୍ କଲ୍ ଆସିଥିଲା । ‘ସିଲଭର ରେଲ୍ ଏଲିମେଣ୍ଟାରୀ’ ସ୍କୁଲ୍ ବାହାରେ ଏକ ଗାଡ଼ିରେ ବସିଥିବା ଜଣେ ବ୍ୟକ୍ତି ଏହି ଫୋନ୍ କରିଥିଲେ । ଜଣେ ବ୍ୟକ୍ତି ଲମ୍ବା ବନ୍ଧୁକରୁ ତାଙ୍କ ଉପରକୁ ଗୁଳି ଚଳାଇଥିବା ସେ ସୂଚନା ଦେଇଥିଲେ। ପୋଲିସ ଆଶଙ୍କା କରୁଛି ଯେ, ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ।

Share