ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ପ୍ରସ୍ତାବିତ ତିରଙ୍ଗା ମାର୍ଚ୍ଚ ପୂର୍ବରୁ ଅଭିଜିତ ଦୀପକେଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ସେ କନଟ୍ ପ୍ଲେସ୍ ଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ପୋଲିସ ତାଙ୍କ ଘରେ ପହଞ୍ଚି ତିରଙ୍ଗା ମାର୍ଚ୍ଚ ନକରିବାକୁ ନୋଟିସ କରିଥିଲା ।
ସୂଚନା ଅନୁସାରେ, ତିରଙ୍ଗା ମାର୍ଚ୍ଚ ପାଇଁ ଅନୁମତି ନଥିବାରୁ ପୋଲିସ ଅଭିଜିତଙ୍କୁ ନୋଟିସ୍ ଦେବାକୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଯାଇଥିଲା । ପୋଲିସ ସହ ଜଡ଼ିତ ଅଧିକାରୀଙ୍କ କହିବା ଅନୁସାରେ, ଲହରା ଦୋ ତିରଙ୍ଗା ମାର୍ଚ୍ଚ ନକରିବା ନେଇ ନୋଟିସ୍ ଦେବାକୁ ପ୍ରାୟ ୧୫ରୁ ୨୦ ଜଣ ପୋଲିସ କର୍ମଚାରୀ ତାଙ୍କ ଘରେ ପହଞ୍ଚିଥିଲେ ।
CJPର ପ୍ରସ୍ତାବିତ ତିରଙ୍ଗା ମାର୍ଚ୍ଚକୁ ଦୃଷ୍ଟିରେ ରଖି କନଟ୍ ପ୍ଲେସ୍ ସ୍ଥିତ ସେଣ୍ଟ୍ରାଲ ପାର୍କ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେଠାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଲାଗୁ ହୋଇଥିବାରୁ ପୋଲିସ ଲୋକଙ୍କୁ ସେଣ୍ଟ୍ରାଲ ପାର୍କକୁ ନଯିବାକୁ ଅନୁରୋଧ କରୁଛି । ଏବେ ପ୍ରସ୍ତାବିତ ମାର୍ଚ୍ଚକୁ ନେଇ ଅଞ୍ଚଳରେ ସୁରକ୍ଷା ଓ ଆଇନଶୃଙ୍ଖଳା ଉପରେ ନଜର ରଖାଯାଇଛି।
