ପତିହନ୍ତା ପତ୍ନୀକୁ ଫାଶୀଦଣ୍ଡ, ପ୍ରେମିକ ସହ ମିିଶି ସ୍ୱାମୀଙ୍କୁ ହତ୍ୟା କରିଥିଲା

Faci

ମିରଟ: ପରକୀୟା ପ୍ରୀତି ପାଇଁ ନିଜ ପତିଙ୍କ ତଣ୍ଟିଚିପି ହତ୍ୟା କରିଥିବା ଜଣେ ମହିଳା ଓ ତାଙ୍କ ପ୍ରେମିକକୁ ମିରଟର ଏକ ଅଦାଲତ ଶୁକ୍ରବାର ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୩ ଦିନ ତଳେ ଏପରି ଏକ ପ୍ରେମିକ ପ୍ରେମିକାଙ୍କୁ ମିରଟ ଅଦଲାତ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ପୁଣି ସେହି ଅଞ୍ଚଳର ଆଉ ଏକ ପ୍ରେମୀ ଯୁଗଳଙ୍କୁ ଫାଶୀ, ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ଖବର ନେବାରୁ ଜଣାପଡିଛି ମିରଟର ରବିତା ନାମ୍ନୀ ଜଣେ ୩ ସନ୍ତାନର ଜନନୀ, ଅମରଦୀପ ନାମକ ଅନ୍ୟ ଜଣେ ପରୁଷଙ୍କୁ ଭଲ ପାଉଥିଲେ । ତେବେ ସେମାନଙ୍କ ଏହି ପରକୀୟା ପ୍ରୀତିରେ କଣ୍ଟା ସାଜିଥିଲେ ରବିତାଙ୍କ ସ୍ୱାମୀ ଅମିତ କଶ୍ୟପ । ତେଣୁ ରବିତା ଓ ଅମରଦୀପ ମିଶି ଅମିତଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ । ପୁଲିସ ଆଖିରେ ଧୂଳି ଦେବା ପାଇଁ ଅମିତଙ୍କୁ ହତ୍ୟା କରିବା ପରେ ତାଙ୍କ ପାଖରେ ଏକ ସାପ ଛାଡିଦେଇଥିଲେ । ପ୍ରଥମେ ସମସ୍ତେ ଏହାକୁ ସାପକାମୁଡ଼ାଜନିତ ମୃତ୍ୟୁ ବୋଲି ଭାବି ନେଇଥିଲେ । ତେବେ ପୁଲିସ ଏ ନେଇ ଅଧିକ ତଦନ୍ତ କରିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲ।। । କାରଣ ଯେଉଁ ସାପକୁ ଅମିତଙ୍କ ଶବ ପାଖରେ ଛଡା ଯାଇଥିଲା, ତା’ର ବିଷ ହିଁ ନ ଥିବା ପୁଲିସ ତଦନ୍ତରୁ ଜାଣିପାରିଥିଲା । ଉଭୟ ରବିତା ଓ ଅମରଦୀପଙ୍କୁ ଜେରା କରିବା ପରେ ସେମାନେ ସତ ମାନିଯାଇଥିଲେ । ମାମଲାର ରାୟ ଶୁଣାଇ ବିଚାରପତି କହିଥିଲେ, ‘ଜଣେ ମହିଳା ନିଜ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘ ଜୀବନ କାମନା କରି କର୍ବାଚୌଥ ବ୍ରତ ପାଳନ କରିଥାଏ । ଏପରି ସ୍ଥଳେ ରବିତାଙ୍କ ପରି ଜଣେ ମହିଳା ନିଜ ସ୍ୱାମୀଙ୍କୁ ତଣ୍ଟିଚିପି ହତ୍ୟା କରିବା ଏକ ଜଘଣ୍ୟ ଅପରାଧ ଓ ଏହି ଅପରାଧର କ୍ଷମା ନାହିଁ ।’

ଉଲ୍ଲେଖଯୋଗ୍ୟ ଯେ, ଗତ ୩ ଦିନ ତଳେ ମିରଟର ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାକୁ ଜିଲା ଜଜ ଅରବିନ୍ଦ କୁମାର ଏହିଭଳି ଏକ ଅପରାଧ ପାଇଁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ପରକୀୟା ପ୍ରୀତିରେ ମସଗୁଲ ମୁସ୍କାନ ନିଜ ପ୍ରେମିକ ସାହିଲ ସାହାଯ୍ୟରେ ସ୍ୱାମୀ ସୌରଭ ରାଜପୁତଙ୍କୁ ନିର୍ମମ ଭାବେ ହତ୍ୟା କରି ଶବକୁ ନୀଳ ଡ୍ରମରେ ଭର୍ତ୍ତି କରିଦେଇଥିଲେ । ପରେ ପୁଲିସ ଶବକୁ ଡ୍ରମ ଭିତରୁ ଜବତ କରିଥିଲା ।

Share