ଏସିଆନ୍ ପାରା ଗେମ୍ସରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଭାରତୀୟ ଖେଳାଳିଙ୍କୁ ଗିରଫ କରି ଭାରତ ପଠାଇଲା ଜାପାନ ପୋଲିସ

Japan

ନୂଆଦିଲ୍ଲୀ: ଜାପାନରେ ଆୟୋଜିତ ଏସିଆନ୍ ପାରା ଗେମ୍ସରେ ବିବାଦରେ ଫସିଛନ୍ତି ଭାରତୀୟ ଖେଳାଳି । ମହମ୍ମଦ ସାମ୍ସ ଆସଲାମ୍ ଶେଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି । ୪୦ ବର୍ଷୀୟ ଶେଖଙ୍କ ବିରୋଧରେ ଜଣେ ମହିଳା ହୋଟେଲ କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ଜାପାନ ପୋଲିସ ଶେଖଙ୍କୁ ଅଟକ ରଖି ତାଙ୍କୁ ଭାରତକୁ ପଠାଇ ଦିଆଯାଇଛି ।

ଖବର ମୁତାବକ, ଗତ ସୋମବାର ଦିନ ଭାରତୀୟ ଦଳ ଏକ ହୋଟେଲରେ ରହିଥିଲେ । ଏଠାରେ ପାରା ସୁଇମିଂ ଟିମ୍ ରହିବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ଜଣେ ମହିଳା ହାଉସକିପିଂ କର୍ମଚାରୀ ଶେଖଙ୍କ ରୁମରେ କିଛି କାମ କରୁଥିଲେ । ଏତିକି ବେଳେ ଶେଖ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ମହିଳା ସ୍ଥାନୀୟ ଆୟୋଜନ ସମିତି ନିକଟରେ ପ୍ରଥମେ ଅଭିଯୋଗ କରିଥିଲେ । ପରେ ଭାରତୀୟ ଅଧିକାରୀଙ୍କୁ ଏବାବଦରେ ସୂଚନା ଦିଆଯାଇଥିଲା । ସୋମବାର ଜାପାନ ପୋଲିସ ଶେଖଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଭାରତ ପଠାଇ ଦେଇଛି । କୌଣସି ଇଭେଣ୍ଟରେ ଭାଗ ନନେଇ ସେ ଭାରତ ଫେରି ଆସିଛନ୍ତି ।

ମାମଲାକୁ ନେଇ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆ ବା ପିସିଆଇ ତଦନ୍ତ ଆରମ୍ଭ କରିଛି । ଶେଖଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ବିଚାରବିମର୍ଶ ଚାଲିଛି । ଘଟଣାକୁ ନେଇ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆ ତାଙ୍କ ବିରୋଧରେ ଆଜୀବନ ବ୍ୟାନ୍ ଲଗାଇବାକୁ ବିଚାର କରୁଛି ।

ସୂଚନାଯୋଗ୍ୟ, ବିହାରର ଶେଖ ମହମ୍ମଦ ଅସଲାମ୍ ଭାରତୀୟ ପାରା ସ୍ୱିମିଂର ସିନିଅର୍ ଖେଳାଳି । ସେ ବିଭିନ୍ନ ବର୍ଗରେ ନମ୍ବର ଓ୍ୱାନ୍ ରାଙ୍କ୍ ହାସଲ କରିସାରିଛନ୍ତି । ୨୦୧୮ରେ ଜାକର୍ତ୍ତାରେ ସେ ଏସିଆନ୍ ଗେମ୍ସରେ ଭାଗନେଇ ସ୍ବର୍ଣ୍ଣ ଜିତିଥିଲେ ।

Share