ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏକ କ୍ୟାଣ୍ଡି କାରଖାନାରେ ନିଆଁ ଲାଗି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ୩୬ ଜଣ କର୍ମଚାରୀ ନିଖୋଜ ରହିଥିବା ଜଣାପଡ଼ିଛି । ନିଖୋଜ କର୍ମଚାରୀଙ୍କ ସନ୍ଧାନରେ ଉଦ୍ଧାରକାରୀ ଦଳ ଜୋରଦାର ଅପରେସନ୍ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ, ଶନିବାର ଦିନ ଇଣ୍ଡୋନେସିଆର ବାଣ୍ଟେନ୍ ପ୍ରଦେଶର ସେରାଙ୍ଗ ଜିଲ୍ଲାରେ ଥିବା ‘ପିଟି ଫୋନୁସା ଆଗୁଙ୍ଗ ମୁଲିଆ’ କ୍ୟାଣ୍ଡି କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି କାରଖାନାରେ ମିଲ୍କିଟା ବ୍ରାଣ୍ଡର କ୍ଷୀରରୁ ପ୍ରସ୍ତୁତ କ୍ୟାଣ୍ଡି ଓ ସ୍ନାକ୍ସ ତିଆରି ହୋଇଥାଏ । ଅଗ୍ନିକାଣ୍ଡରେ କାରଖାନାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ ୧୫ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ୩୬ ଜଣ କର୍ମଚାରୀଙ୍କର କୌଣସି ପତ୍ତା ମିଳୁନାହିଁ । ଅଗ୍ନିକାଣ୍ଡ ଘଟିବାର ୧୨ ଘଣ୍ଟାରୁ ଅଧିକ ସମୟ ପରେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇପାରିନାହିଁ । ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ସହ କୁଲିଂ ଅପରେସନ୍ ମଧ୍ୟ ଜାରି ରଖିଛନ୍ତି ।
ବାଣ୍ଟେନ୍ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଏଜେନ୍ସିର ଅଧିକାରୀ ରିଜ୍କି ଦ୍ୱିୟାନ୍ତୋଙ୍କ କହିବା ଅନୁଯାୟୀ, କାରଖାନାର ଅନେକ ସ୍ଥାନରେ ଏବେ ବି ଅଗ୍ନିକାଣ୍ଡ ଆୟତ୍ତ ହୋଇନାହିଁ । ଉଦ୍ଧାରକାରୀ ଦଳ କ୍ଷତିଗ୍ରସ୍ତ କୋଠାର ବିଭିନ୍ନ ଅଂଶରେ ନିଖୋଜ କର୍ମଚାରୀଙ୍କୁ ଖୋଜୁଛନ୍ତି । ଏହି କାର୍ଯ୍ୟରେ ଇଣ୍ଡୋନେସିଆନ୍ ରେଡ୍ କ୍ରସ୍ ମଧ୍ୟ ସହଯୋଗ କରୁଛି ।
ଅନ୍ୟପଟେ ଘଟଣାର ଭୟାବହ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ତିନି ମହଲା ବିଶିଷ୍ଟ କାରଖାନାଟି ନିଆଁରେ ଜଳୁଥିବା ସହ ଆକାଶକୁ ଘନ କଳା ଧୂଆଁ ଉଠୁଥିବା ଦେଖାଯାଇଛି । ଏଥିସହ ଅଗ୍ନିକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।
