ନୂଆଦିଲ୍ଲୀ: NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ ଆକ୍ସନ୍ । ୧୪ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଗଠନ କଲେ ଦିଲ୍ଲୀ କୋର୍ଟ । ପ୍ରଶ୍ନପତ୍ର ଲିକ୍ ମାମଲାରେ ସମସ୍ତ ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାଲିବ ବିଚାର ପ୍ରକ୍ରିୟା । ଅଭିଯୋଗର ସତ୍ୟାସତ୍ୟ ନିର୍ଦ୍ଧାରଣ ପାଇଁ କୋର୍ଟରେ ଉପସ୍ଥାପିତ ହେବ ପ୍ରମାଣ ଓ ସାକ୍ଷ୍ୟ । NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ ପଦକ୍ଷେପ ନେଇଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ।
ଶନିବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସମସ୍ତ ୧୪ ଅଭିଯୁକ୍ତଙ୍କ ବିରୋଧରେ ଆନୁଷ୍ଠାନିକ ଭାବେ ଅଭିଯୋଗ ଗଠନ କରିଛନ୍ତି । ଏହାସହ ନଭେମ୍ବର ୨୫ରୁ ମାମଲାର ଦୈନିକ ଶୁଣାଣି ଓ ବିଚାର ପ୍ରକ୍ରିୟା ଆରମ୍ଭ ହେବ।ସ୍ୱତନ୍ତ୍ର ବିଚାରପତି ଅଜୟ ଗୁପ୍ତାଙ୍କ ଅଦାଲତରେ ସମସ୍ତ ୧୪ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା। ଅଭିଯୁକ୍ତମାନେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିବା ସହ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଛନ୍ତି । ଏହାପରେ ସମସ୍ତଙ୍କ ବିରୋଧରେ ବିଚାର ପ୍ରକ୍ରିୟା ଆଗକୁ ବଢ଼ାଇବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି ।
ଏହି ମାମଲାରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ବିଶ୍ୱାସଭଙ୍ଗ, ଦୁର୍ନୀତି ଏବଂ ପରୀକ୍ଷାରେ ଅନିୟମିତତା ଭଳି ଗୁରୁତର ଅଭିଯୋଗ ରହିଛି । ଭାରତୀୟ ନ୍ୟାୟ ସଂହିତା, ଦୁର୍ନୀତି ନିବାରଣ ଆଇନ, କପିରାଇଟ୍ ଆଇନ ଏବଂ ସାର୍ବଜନୀନ ପରୀକ୍ଷାରେ ଅନୁଚିତ ଉପାୟ ନିବାରଣ ଆଇନ, ୨୦୨୪ ଅନୁଯାୟୀ ଅଭିଯୋଗ ଗଠନ କରାଯାଇଛି।ସିବିଆଇ ତଦନ୍ତରେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା NTA ସହ ଜଡ଼ିତ ତିନିଜଣ ବିଷୟ ବିଶେଷଜ୍ଞ ଗୋପନୀୟ ପ୍ରଶ୍ନପତ୍ର ହାସଲ କରି ଅନ୍ୟମାନଙ୍କ ନିକଟକୁ ପହଞ୍ଚାଇଥିବା ଅଭିଯୋଗ ହୋଇଛି ।
ଏହି ତିନିଜଣଙ୍କ ସହ ଅନ୍ୟ ୧୧ ଜଣଙ୍କର ସମ୍ପୃକ୍ତି ଥିବା ସିବିଆଇ ଅଭିଯୋଗ କରିଛି । ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁସାରେ, ପରୀକ୍ଷା ପୂର୍ବରୁ ଗୋପନୀୟ ପ୍ରଶ୍ନଗୁଡ଼ିକୁ କାଗଜ ଚିରକୁଟରେ ଲେଖିବା ଏବଂ NCERT ପୁସ୍ତକରେ ଚିହ୍ନିତ କରିବା ଭଳି କୌଶଳ ଆପଣାଯାଇଥିଲା । ଡିଜିଟାଲ୍ ପ୍ରମାଣ ଛାଡ଼ିବାରୁ ବର୍ତ୍ତିବା ପାଇଁ ଏଭଳି ପଦ୍ଧତି ବ୍ୟବହାର କରାଯାଇଥିବା ସିବିଆଇ କହିଛି । ସିବିଆଇ ଏହି ମାମଲାରେ ପ୍ରାୟ ୨୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ୩୬୦ ଜଣ ସାକ୍ଷୀ, ୪୨୨ଟି ଦସ୍ତାବିଜ ଏବଂ ୪୩ଟି ଭୌତିକ ପ୍ରମାଣ ସମ୍ପର୍କରେ ଉଲ୍ଲେଖ ରହିଛି ।
ପ୍ରଥମେ ୧୩ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ପରେ ଚତୁର୍ଦ୍ଦଶ ଅଭିଯୁକ୍ତଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ମେ ୩ ତାରିଖରେ ଅନୁଷ୍ଠିତ NEET-UG ୨୦୨୬ ପରୀକ୍ଷାରେ ପ୍ରାୟ ୨୨ ଲକ୍ଷ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସାମ୍ନାକୁ ଆସିବା ପରେ ମେ ୧୨ ତାରିଖରେ NTA ପରୀକ୍ଷା ବାତିଲ କରିଥିଲା । ପରେ ଜୁନ୍ ୨୧ ତାରିଖରେ ପୁନଃ ପରୀକ୍ଷା ଆୟୋଜନ କରାଯାଇଥିଲା ।
ଏହି ଘଟଣା ଦେଶବ୍ୟାପୀ ମେଡିକାଲ୍ ଆଶାୟୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ଏବଂ ଗୋପନୀୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏବେ ନଭେମ୍ବର ୨୫ରୁ ଅଭିଯୋଗ ପକ୍ଷର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ । ତେବେ ଅଭିଯୋଗ ଗଠନ ହେବାର ଅର୍ଥ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବୋଲି ନୁହେଁ। ବିଚାର ପ୍ରକ୍ରିୟା ଶେଷରେ କୋର୍ଟ ଚୂଡ଼ାନ୍ତ ରାୟ ଦେବେ ।
